ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଲାଗୁ

ଅର୍ଥନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଦେଶର ଜରୁରୀ ସ୍ଥିତି ଲାଗୁ କରିଛନ୍ତି । ଏହାକୁ ନେଇ ଲୋକ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ବାସଭବନ ଘେରାଉ କରିଛନ୍ତି ।

ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ଇସ୍ତଫା ଦାବି କରି ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେଙ୍କ ବାସଭବନରେ ବହୁ ସଂଖ୍ୟାରେ ସୁରକ୍ଷା ବଳ ମୁତୟନ କରାଯାଇଛି । ସେଠାରେ ବିକ୍ଷୋଭକାରୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ରହିଛି। ବିକ୍ଷୋଭକାରୀଙ୍କୁ ଘଉଡିବା ପାଇଁ ସୁରକ୍ଷା ବାହିନୀ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି । ସେପଟେ ଶ୍ରୀଲଙ୍କାର ପଶ୍ଚିମ ପ୍ରଦେଶରେ କର୍ଫ୍ୟୁ ଜାରି କରାଯାଇଛି।

ଏହା ପୂର୍ବରୁ ଖବର ଆସିଥିଲା ​​ଯେ ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଇସ୍ତଫା ଘୋଷଣା କରିବେ । ବାଚସ୍ପତି ଆଜି ଏହା ଘୋଷଣା କରିଥାଆନ୍ତେ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଚସ୍ପତିଙ୍କୁ ଏପର୍ଯ୍ୟନ୍ତ ଗୋଟାବାୟାଙ୍କ ଇସ୍ତଫା ମିଳିନାହିଁ ।

ଶ୍ରୀଲଙ୍କା ବାୟୁସେନା ମିଡିଆ ନିର୍ଦ୍ଦେଶକ କହିଛନ୍ତି ଯେ ମାଳଦ୍ବୀପ ଯିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ, ତାଙ୍କ ପତ୍ନୀ ଏବଂ ଦୁଇଜଣ ଅଙ୍ଗରକ୍ଷୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଅନ୍ୟ ବିଭାଗ ଅନୁମତି ଦେଇଥିଲେ । ବୁଧବାର ସକାଳେ ତାଙ୍କୁ ବାୟୁସେନା ବିମାନ ଯୋଗାଇ ଦିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

3 + four =