ମୂର୍ତ୍ତି ଆଖିରୁ ଝରୁଛି ରକ୍ତ

ମୂର୍ତ୍ତି ତା’ ଆଖରୁ ପୁଣି ରକ୍ତ ଝରେ । ଏହା ବିଶ୍ୱାସ କରିବା ସହଜ ନୁହେଁ । ତେବେ ‘ଭର୍ଜିନ୍‌ ଅଫ୍‌ ଦ ମିଷ୍ଟିକ୍‌ ରୋଜ୍‌’ ନାମକ ଏକ ଆଶ୍ଚର୍ଯ୍ୟଜନକ ମୂର୍ତ୍ତି ଦେଖିବାକୁ ମିଳେ ଆର୍ଜେଣ୍ଟିନାର ଉତ୍ତର-ପଶ୍ଚିମର ମେଟାନ ସହରସ୍ଥିତ ଫ୍ରିୟାସ ପରିବାରରେ । ଏହି ମୂର୍ତ୍ତିକୁ ଦେଖିବା ଉଦ୍ଦେଶ୍ୟରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମିଥାଏ ଫ୍ରିୟାସ ପରିବାରରେ । ୨୦୧୭ ମସିହାରେ ଏହି ମୂର୍ତ୍ତିଟିକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ଏହି ମୂର୍ତ୍ତିଟିକୁ ସବୁବେଳେ କାନ୍ଦୁଥିବାର ଦେଖିବାକୁ ମିଳିଥାଏ! ତେବେ କାନ୍ଦୁଥିବା ବେଳେ ମୂର୍ତ୍ତି ଆଖିରୁ ପାଣି ନୁହେଁ, ବରଂ ରକ୍ତ ବାହାରୁଥିବା ଦେଖିବାକୁ ମିଳେ ।

ଏହି ମୂର୍ତ୍ତିର ମାଲିକ ତଥା ଫ୍ରିୟାସ ପରିବାରର ମୁଖିଆ ରୋସାନା ମେଣ୍ଡୋଜା ଫ୍ରିୟାସ ବିଷୟଟିକୁ ରେକର୍ଡ କରି ଲୋକମାନଙ୍କୁ ଦେଖାଇବା ପରେ ଏହି ମୂର୍ତ୍ତି କଥା ଦୂରଦୂରାନ୍ତକୁ ବ୍ୟାପି ଯାଇଥିଲା । ରୋସାନା କରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ମୂର୍ତ୍ତିଟିର ମୁହଁରେ ଲାଲ୍‌ ତରଳ । ଦେଖିବା ପରେ ମନେ ହୋଇଥିଲା ସତେ ମୂର୍ତ୍ତି ଆଖିରୁ ଝରେ ରକ୍ତ! ଯେମିତି ସେହି ଲାଲ୍‌ ତରଳ ମୂର୍ତ୍ତିର ଆଖିରୁ ବାହାରୁଛି । ତେବେ ଏହି ମୂର୍ତ୍ତି ପ୍ରଥମେ ରକ୍ତ ଅଶ୍ରୁ ନିର୍ଗତ କରିବା ଆରମ୍ଭ କରିଥିଲା ୨୦୧୭ ମସିହା ଏପ୍ରିଲ ମାସରେ । ତାହା ପରଠାରୁ ପ୍ରାୟ ସମୟରେ ଏହି ମୂର୍ତ୍ତିକୁ କାନ୍ଦୁଥିବାର ଦେଖିବାକୁ ମିଳେ । ରୋସାନା ଏହି ମୂର୍ତ୍ତିର ଆଖିରୁ ଲାଲ ତରଳ ବାହାରୁଥିବାର ଫଟୋ ଇଣ୍ଟରନେଟ୍‌ରେ ପୋଷ୍ଟ କଲା ମାତ୍ରେ ତାଙ୍କ ଘର ବାହାରେ ଲୋକ ଭିଡ଼ ଜମିବାକୁ ଲାଗିଲା । ରୋସାନାଙ୍କ ଦାବି ତାଙ୍କ ମା’ଙ୍କ ଶାରୀରିକ ସୁସ୍ଥତା କାମନା କରି ସେହି ମୂର୍ତ୍ତି ପାଖରେ ପ୍ରାର୍ଥନା କରିବା ପରେ ମଧ୍ୟ ମୂର୍ତ୍ତିଟିକୁ ଥରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

‘ଭର୍ଜିନ ଅଫ୍‌ ଦି ମିଷ୍ଟିକ୍‌ ରୋଜ୍‌’ ମୂର୍ତ୍ତି ସହିତ ବେଶ୍‌ କେତୋଟି ଅଲୌକିକ ଘଟଣା ମଧ୍ୟ ଜଡ଼ିତ । ଜଣେ ମହିଳା ଦାବି କରିଥିଲେ ତାଙ୍କ ଶରୀରରେ ଥରେ ତିନି ଇଞ୍ଚର ଟ୍ୟୁମର୍‌ ହୋଇଥିଲା । କିନ୍ତୁ ଏହି ମୂର୍ତ୍ତିର ଦର୍ଶନ ମିଳିବା ପରେ ଆପଣାଛାଏଁ ତାଙ୍କ ଶରୀରରୁ ଟ୍ୟୁମର୍‌ ଗାଏବ ହୋଇଯାଇଥିଲା । ତେବେ ସବୁ ଲୋକ ଯେମିତି ମୂର୍ତ୍ତିଟି ଦେଖିବାର ସୁଯୋଗ ପାଇବେ ସେଥିପାଇଁ ନିଜ ଘରର ଦ୍ୱାର ସବୁବେଳେ ଖୋଲା ରଖିଥାଆନ୍ତି ରୋସାନା । କିନ୍ତୁ କେଉଁ କାରଣରୁ ମୂର୍ତ୍ତି ଆଖିରୁ ରକ୍ତ ବାହାରୁଛି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ଅନେକ ଚେଷ୍ଟା କରିବା ପରେ ବି ଏହି ରହସ୍ୟର ସମାଧାନ ହୋଇପାରିନି । ଚର୍ଚ୍ଚପପ୍‌ ନାମକ ଏକ ୱେବସାଇଟ୍‌ ଦାବି କରେ ଯେ ଲୋକମାନଙ୍କୁ ଚକମା ଦେବା ଉଦ୍ଦେଶ୍ୟରେ ଏହି ମୂର୍ତ୍ତିକୁ ବିଶେଷ ଭାବେ ତିଆରି କରାଯାଇଛି । ଏହି ମୂର୍ତ୍ତିର ମୁହଁରେ ଜାଣିଶୁଣି ରକ୍ତ ଘଷି ଦିଆଯାଏ ବୋଲି ଏହି ୱେବସାଇଟ୍‌ ଦାବି କରେ । ଯଦିଓ ଫ୍ରାୟେସ ପରିବାର ଏହି ଦାବିକୁ ଅସ୍ୱୀକାର କରିଆସିଛନ୍ତି । ଏହି ମୂର୍ତ୍ତିକୁ ରକ୍ଷା କରିବା ପାଇଁ ରୋସାନା ନିଜ ଘର ଚାରିପଟେ କାଚର ପ୍ରାଚୀନ ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ବିଦେଶରୁ ଅନେକ ଲୋକ ଆର୍ଥିକ ସାହାଯ୍ୟ କରିଛନ୍ତି ବୋଲି ରୋସାନା କୁହନ୍ତି ।

Share

Leave a Reply

Your email address will not be published. Required fields are marked *

one × 2 =