ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍‌ ଧକ୍କାରେ ୭ ପୋଲିସଙ୍କ ସମେତ ୨୦ ଆହତ । ଭିଡ଼ ଭିତରେ କାର୍‌ ଚଢ଼ାଇଦେବାରୁ ୨୦ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ତୁମୁଳକାଣ୍ଡ ଘଟିଛି । ଆକ୍ରମଣରେ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ । ଏତିକି ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ କାରରେ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ ।

ଶୋଭାଯାତ୍ରାକାରୀମାନେ ରାସ୍ତା ନ ଛାଡିବାରୁ ବିଧାୟକ ନିଜ ଗାଡିକୁ ଜୋରରେ ଆଗକୁ ଚଢ଼େଇ ଦେଇଥିଲେ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ କାର୍‌ ଚଳାଉଥିଲେ । ଏହି ଘଟଣାରେ ବାଣପୁର ଆଇଆଇସିଙ୍କ ସମେତ ୨୦ରୁ ଅଧିକ ଆହତ ହୋଇଛନ୍ତି । କିଛି ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏଥିରେ ବିଧାୟକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଣପୁର ପରେ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇଛି । ଆକ୍ରମଣରେ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍‌ ଭାଙ୍ଗିରୁଜି ଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଛନ୍ତି ।

 
Share

Leave a Reply

Your email address will not be published. Required fields are marked *

10 − 5 =