ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୨୧ ଭୋଟ୍ ଗଣତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ଏଥିପାଇଁ ଜୁନ୍ ୧୫ରେ ବିଜ୍ଞପ୍ତି ଜାରି କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହେଉଛି ଜୁନ୍ ୨୯ । ଜୁଲାଇ ୨ରେ ନାମାଙ୍କନ ପ୍ରତ୍ୟାହାର ହେବାକୁ ଥିବା ବେଳେ ଜୁଲାଇ ୨୧ ରେ ନିର୍ବାଚନ ଫଳାଫଳ ଘୋଷଣା ହେବ | ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି।

ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ୪୮୦୯ ଜଣ ମତଦାତା ଭୋଟ ଦେବେ । ଏଥିମଧ୍ୟରେ ୭୭୬ ଜଣ ସାଂସଦ ଓ ୪୦୩୩ ଜଣ ବିଧାୟକ ଅଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ହ୍ବିପ ଜାରି କରିପାରିବେ ନାହିଁ ବୋଲି ଆୟୋଗ କହିଛନ୍ତି।

ସମ୍ବିଧାନର ଧାରା ୫୫ ଅନୁଯାୟୀ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାର ଏକକ ସ୍ଥାନାନ୍ତରିତ ଭୋଟ୍ ମାଧ୍ୟମରେ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତିଙ୍କୁ ସଂସଦର ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ଏବଂ ରାଜ୍ୟ ବିଧାନସଭାର ସଦସ୍ୟମାନେ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ନିର୍ବାଚିତ କରନ୍ତି।

ସମ୍ବିଧାନର ଧାରା ୬୨ ଅନୁଯାୟୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୪ ଜୁଲାଇରେ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରୁଛନ୍ତି ଏବଂ ଏହା ପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବା ଉଚିତ୍। ୧୭ ଜୁଲାଇ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ଫଳାଫଳ ୨୦ ଜୁଲାଇରେ ଘୋଷଣା କରାଯାଇଥିଲା। ସେତେବେଳେ ପ୍ରାୟ ପଚାଶ ପ୍ରତିଶତ ଭୋଟ୍ ଏନଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କୁ ମିଳିଥିଲା । ଏହା ସହ ଅଧିକାଂଶ ଆଞ୍ଚଳିକ ଦଳର ସମର୍ଥନ ମଧ୍ୟ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

nine − two =