ଏମିତି ଏକ ଗାଁ ଯେଉଁଠି ସମସ୍ତଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା

ମହଲ ପରି ଘର, ଘର ଆଗରେ ଦାମୀ କାର, ଫାଇଭଷ୍ଟାର ହୋଟେଲ, ଏବଂ ହେଲିକପ୍ଟରରେ ବୁଲିବା ଏହା କୌଣସି ବଡ ସହରର ଦୃଶ୍ୟ ନୁହେଁ ବରଂ ଏକ ଗାଁର ଦୃଶ୍ୟ । ଏ ଗାଁ ଆମ ଦେଶରେ ନୁହେଁ ବରଂ ପଡୋଶୀ ଦେଶ ଚୀନରେ ।
ଏହା ହେଉଛି ଚୀନ୍ ଜିଆଙ୍ଗସୁ ପ୍ରଦେଶର ଉଆଙ୍ଗଜି ଗାଁ । ଏହି ଗାଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଅନେକ ବଡ ବଡ ମେଟ୍ରୋ ସିଟିକୁ ପଛରେ ପକାଇଛି ଏହି ଗାଁ । ଏହା ସବୁଠାରୁ ଧନୀ ଗାଁର ମାନ୍ୟତା ପାଇଛି । ବଡବଡ ସହର ଏହି ଗାଁରେ ଫିକା ପଡିଯାଏ । ଏଠିକାର ଗାଁ ଲୋକଙ୍କ ଆୟ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଠିକାର ପ୍ରତିଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ବାଲାନ୍ସ ରହିଛି । ୨୦୧୪ରେ ଏଠିକାର ପ୍ରତି ଲୋକଙ୍କ ବାର୍ଷିକ ଆୟ ୮୮ ଲକ୍ଷ ଟଙ୍କା ଥିଲା । ଏହାପରେ ଏହି ଆୟ କ୍ରମାଗତ ବଢିବାରେ ଲାଗିଲା । ଏଥିପାଇଁ ଏହି ଗାଁକୁ ସୁପର ଭିଲେଜ ବୋଲି ମଧ୍ୟ କୁହାଯାଏ ।
ବାଣିଜ୍ୟ କେନ୍ଦ୍ର କୁହାଯାଉଥିବା ସାଂଘାଇ ସହର ଠାରୁ ୧୩୫ କିଲୋମିଟର ଦୂରରେ ଥବବା ଏହି ଗାଁରେ ୧୭ରୁ ଅଧିକ କାରଖାନା ରହିଛି । ଯେଉଁଠାରେ ଷ୍ଟିଲ, ସିଲ୍କ ଓ ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ପ୍ରସିଦ୍ଧ । ଏହାଛଡା ଏହି ଗାଁ ପର୍ୟ୍ୟଟନ ପାଇଁ ମଧ୍ୟ ବେଶ୍ ପରିଚିତ । ୨୦୧୨ରେ ଏହି ଗାଁ ନିଜ ଉଦ୍ୟୋଗରୁ ହିଁ ୬୪ ହଜାର କୋଟି ଟଙ୍କା ଆୟ କରିଥିଲା । ଏହି ଗାଁ ୧୯୬୧ ଯାଏଁ ଏକ ଗରୀବ ଗାଁ ଥିଲା । ହେଲେ ୧୯୬୨ରେ ଏହାର କାୟାକଳ୍ପ ବଦଳାଇବାକୁ ନିଷ୍ପତ୍ତି ନେଲେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ସଚିବ ବୁ ରେନବାଓ । ସାମୁହିକ କୃଷିକୁ ଗୁରୁତ୍ୱ ଦେବା ସହ ଉଦ୍ୟୋଗ ଶିଳ୍ପ ଆରମ୍ଭ କଲେ । ଏଠାରେ ସାମୁହିକ କୃଷି ପାଇଁ ଏକ କମ୍ପାନୀ ପ୍ରତିଷ୍ଠା କରାଗଲା । ଏହି କମ୍ପାନୀ ସେୟାର ମାର୍କେଟରେ ସ୍ଥାନ ପାଇଲା । ଆଊ ଗାଁରେ ରହୁଥିବା ପ୍ରତି ବ୍ୟକ୍ତି ଏହାର ସେୟାର ହୋଲ୍ଡର ହୋଇଗଲେ ।
ଏହି ଗାଁରେ ରହୁଥିବା ଲୋକଙ୍କ ମୋଟ ରୋଜଗାରର ୮୦ ପ୍ରତିଶତ ଅର୍ଥ ଟ୍ୟାକ୍ସରେ ଚାଲିଯାଉଛି । ଏକଥା ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ । ହେଲେ ଏହି ମୋଟା ଅଙ୍କର ଟ୍ୟାକ୍ସ୍ ବଦଳରେ ସେମାନଙ୍କୁ ମିଳୁଛି ଆଲିସାନ୍ ଘର, ହେଲ୍ଥ ଇନସ୍ୟୁରାନ୍ସ, ମାଗଣା ଶିକ୍ଷା, ପଞ୍ଚତାରକା ହେଟେଲରେ ଖାଇବା, ହେଲିକପ୍ଟରରେ ବୁଲିବା ସବୁ ସୁବିଧା ମାଗଣାରେ ଯୋଗାଇଦିଆଯାଉଛି ।
ହେଲେ ଏହି ଗାଁର ଆଉ ଦିଗ ମଧ୍ୟ ରହିଛି । ଏସବୁ ସୁବିଧା କେବଳ ଏଠିକାର ସ୍ଥାୟୀ ବାସିନ୍ଦାଙ୍କ ପାଇଁ । ଏଠାକୁ କାମ କରିବାକୁ ଆସୁଥିବା ଅନ୍ୟ ଇଲାକାର ଲୋକଙ୍କୁ ସାମାନ୍ୟ ଦରମା ଦିଆଯାଏ । ଏଥିପାଇଁ କୁହାଯାଉଛି ଏହି ଗାଁ ହେଉଛି ଚୀନ୍ କମ୍ୟୁନିଷ୍ଟ ସରକାରଙ୍କର ଏକ ପ୍ରଚାର ମାଧ୍ୟମ । ସେ ଯାହାବି ହେଉ ଏହାଠାରୁ ସବୁ ଦେଶ ଅନେକ କିଛି ଶିଖିବାର ଅଛି ବୋଲି ମନେହୁଏ ।

Share

Leave a Reply

Your email address will not be published. Required fields are marked *

three × 5 =