ଇଡିକୁ ସମୟ ମାଗିଲେ ସୋନିଆ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖି ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କର ଜେରା ଆଉ କିଛି ସପ୍ତାହ ଘୁଞ୍ଚାଇବାକୁ କହିଛନ୍ତି । ପାର୍ଟି ମୁଖପାତ୍ର ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ନିକଟରେ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ ଏବଂ କରୋନା ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଦିନ ତଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସୋନିଆଙ୍କୁ ପ୍ରଥମେ ଜୁନ୍ ୮ରେ ହାଜର ହେବାକୁ ସମନ କରିଥିଲା ଇଡି । ତେବେ ସୋନିଆ କରୋନା ସଂକ୍ରମିତ ହେବାରୁ ତାଙ୍କୁ ଜୁନ୍ ୨୩ରେ ହାଜର ହେବାକୁ କୁହାଯାଇଥିଲା ।

ଜୟରାମ ରମେଶ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତେଣୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କ ହାଜିରା ସ୍ଥଗିତ ରଖିବାକୁ ଦାବି କରି ଇଡିଙ୍କୁ ଏକ ଚିଠି ଲେଖିଛନ୍ତି।

ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ରାହୁଲ ଗାନ୍ଧୀ ତଥା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଇଡି ପାଞ୍ଚ ଦିନ ଜେରା କରିଥିଲା ।ଏହି ମାମଲାରେ ରାହୁଲଙ୍କ ଜେରାକୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରିଥିଲା ।

Share

Leave a Reply

Your email address will not be published. Required fields are marked *

five × 3 =