ସରକାରୀ ଡାକ୍ତରଖାନାକୁ ମିଳିବ ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି

ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନୀ ହେବେ କଳା ତାଳିକାଭୁକ୍ତ

ଭୁବନେଶ୍ବର () ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡିଶା ମେଡିକାଲ କର୍ପୋରେସନର କାର୍ଯ୍ୟ ସମୀକ୍ଷା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଡାକ୍ତରୀ ସାଜ ସରଞ୍ଜାମ ଖରିଦ କ୍ଷେତ୍ରରେ ପୂର୍ବ ଧାରାରେ ପରିବର୍ତ୍ତନ କରାଯିବ । କୌଣସି ସାମଗ୍ରୀ ଖରିଦ କରିବା ସମୟରେ ତାହାର ‘ସ୍ପେଶିଫିକେସନ’ ଅପେକ୍ଷା ଏହା କେତେ ଆଧୁନିକ ସେ ସଂକ୍ରାନ୍ତରେ ଅନୁଧ୍ୟାନ ହେବ ।

ସେହିଭଳି ଏହି ଯନ୍ତ୍ରପାତି ଯୋଗାଇବାକୁ ଟେଣ୍ଡରରେ କୃତକାର୍ଯ୍ୟ ହେଉଥିବା ସଂସ୍ଥା ଯେଭଳି ଧାର୍ଯ୍ୟ ସମୟରେ ତାହା ପ୍ରଦାନ କରିବେ ତାହା ଉପରେ ଗୁରୁତ୍ବ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ସଂସ୍ଥା ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସାମଗ୍ରୀ ଦେଇ ନପାରିଲା ତେବେ ତାହାକୁ ଅପେକ୍ଷା ନକରି ଅନ୍ୟ ସଂସ୍ଥା ଦ୍ବାରା ସାମଗ୍ରୀ ଖରିଦ ସହିତ ବିଳମ୍ବ କରିଥିବା କମ୍ପାନୀକୁ ‘କଳା ତାଲିକାଭୁକ୍ତ’ କରାଯିବ । ଫଳରେ ଭବିଷ୍ୟତରେ ଏହି କମ୍ପାନୀ ଆଉ ଯେଭଳି ସରକାରଙ୍କ ସହିତ କୌଣସି ବ୍ୟବସାୟ କରିପାରିବ ନାହିଁ । ରାଜ୍ୟର ରୋଗୀମାନଙ୍କ ଲାଗି ଡାକ୍ତରୀ ଯନ୍ତ୍ରପାତି ଖରିଦ ସମୟରେ ଅର୍ଥବ୍ୟୟକୁ ଗୁରୁ୍‍ତ୍ବ ନଦେଇ ନିଗମ କର୍ତ୍ତୃପକ୍ଷ ଆର୍ନ୍ତଜାତୀୟ ମାନର ସର୍ବଶେଷ (ଲାଟେଷ୍ଟ) ମଡେଲ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସରକାର ଇତି ମଧ୍ୟରେ ରାଜ୍ୟକୁ ଆଉ ଏକ କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ଯୋଗାଣ ଲାଗି ସୂଚନା ଦେଇଛନ୍ତି । ତେବେ ଏହି ମଶାରୀ ମିଳିବାରେ କୌଣସି ନିଶ୍ଚିତତା ନଥିବାରୁ ଆବଶ୍ୟକସ୍ଥଳେ ନିଜସ୍ବ ସମ୍ବଳରୁ ରାଜ୍ୟ ସରକାର ଏହା ଖରିଦ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଦାସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ସୁନତ୍ରେ ଯୋଜନାର ସମୀକ୍ଷା କରିଥିଲେ । ଏଥିରୁ ଜଣାଯାଇଛି ଯେ ସୁନେତ୍ର ଯୋଜନାରେ ବର୍ତ୍ତମାନ ୮ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡି ବୁଲୁଥିବାବେଳେ ଆଉ ୧୦ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ ହେବ । ଏହିସବୁ ଜିଲ୍ଲା ଗୁଡିକ ହେଲା ସୋନପୁର, ଅନୁଗୁଳ, ଭଦ୍ରକ, ଜଗତ୍‍ସିଂହପୁର, ଯାଜପୁର, ଝାରସୁଗୁଡା, ଖୋରଧା, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା କାର୍ଯ୍ୟାରମ୍ଭ କରିବ । ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ଛୋଟ ପିଲାଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସମସ୍ତ ମେଡିକାଲ କଲେଜରେ ଏହା ଆରମ୍ଭ କରିବାଲାଗି ନିଷ୍ପତ୍ତି ହୋଇଛି । ଏଥିସହିତ ସମସ୍ତ ମେଡିକାଲ କଲେଜ ହସ୍ପିଟାଲରେ ନିଦାନ ଯୋଜନାରେ ଜଟିଳ ପରୀକ୍ଷା ଗୁଡିକୁ ସାମଲ କରାଯିବା ସହିତ ରେରାଗୀଙ୍କୁ ‘ହାଇ ଏଣ୍ଡ୍‍’ ପରୀକ୍ଷା ସୁବିଧା ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen − twelve =