ବଢିଲା ମମତା ଯୋଜନାର ଅବଧି

2ରୁ ଅଧିକ ସନ୍ତାନ ପାଇଁ ମଧ୍ୟ ମିଳିବ ସହାୟତା

ଭୁବନେଶ୍ବର () ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ପୁଷ୍ଟିସଂପନ୍ନ ଶିଶୁ ଜନ୍ମଦେବା ଓ ନିରାପଦ ମାତୃତ୍ବ ଲକ୍ଷ୍ୟରେ ୨୦୧୧ ମସିହାରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି ବର୍ଗ (ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି । ସେମାନଙ୍କ କ୍ଷେତ୍ରରେ ୨୦୧୪ରୁ ୨୦୧୯ ଜୁଲାଇ ମାସ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ଯୋଜନାର ଅବଧିକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏଥିସହିତ ସେମାନଙ୍କ ପାଇଁ ଏହି ନିୟମକୁ କୋହଳ କରାଯାଇ ୨ରୁ ଅଧିକ ସନ୍ତାନ ଜନ୍ମ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୧୯ ରୁ ୨୦୨୪ ପାଞ୍ଚ ବର୍ଷ ପାଇଁ ମମତା ଯୋଜନା ଅଧୀନରେ ଅଣୁ ପ୍ରକଳ୍ପ ବ୍ୟତୀତ ଯେକୌଣସି ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିମ ଜନଜାତି ମହିଳା ଏହି ଯୋଜନାରେ ଉପକୃତ ହେବେ । ଏ ସଂପର୍କିତ ଆବଶ୍ୟକୀୟ ସରକାରୀ ଆଦେଶନାମା ଜାରି କରାଯାଇଛି । ମମତା ଯୋଜନାରେ ୨ଟି କିସ୍ତିରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ସିଧାସଳଖ ଗର୍ଭବତୀ ବା ପ୍ରସୂତୀ ମହିଳାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୩୮.୮୯ ଲକ୍ଷ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ୧୮୧୦.୭୬ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରାଯାଇଛି । ଡାକ୍ତରଖାନାରେ ସନ୍ତାନ ପ୍ରସବ ପାଇଁ ପ୍ରୋତ୍ସାହିତ କରିବା ସହ ସୁଷମ ଓ ପୌଷ୍ଟିକ ଆହାର ମାଧ୍ୟମରେ ପ୍ରସୂତିଙ୍କ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ପ୍ରସ୍ତୁତ ଏହି ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଇଛି ।

ମମତା ଯୋଜନାରେ ଉପକୃତ ହେଉଥିବା ଆଦିମ ଜନଜାତି ମହିଳାମାନଙ୍କ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବୁଦାଇ ଧାଙ୍ଗଡ଼ାମାଝୀ । ମାଲକାନଗିରି ଜିଲ୍ଲାର ଖଇରିପୁଟ ବ୍ଲକ୍‌ର ବନ୍ଧଗୁଡ଼ା ଆଦିବାସୀ ଗ୍ରାମର ଆଦିମ ଜନଜାତି ମହିଳା (ପିଭିଟିଜି) ବୁଦାଇ ୨୦୧୧ ମସିହାରେ ଏହି ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ନାମ ପଂଜୀକରଣ କରିଥିଲେ । ତାଙ୍କ ଗ୍ରାମରୁ ୫୨ କିମି ଦୂରରେ ବ୍ୟାଙ୍କ ଥିବାରୁ ତାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମସ୍ୟା ହୋଇଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ସମ୍ଭବ ହୋଇପାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମିଳିଥିବା ଅର୍ଥରାଶିରେ ସେ ସୁଷମ ଖାଦ୍ୟ ଏବଂ ଚିକିତ୍ସା ଖର୍ଚ୍ଚ ତୁଲାଇ ପାରିଥିଲେ । ୨୦୧୪ ମସିହାରେ ୩ ବର୍ଷ ପରେ ତାଙ୍କର ଦ୍ବିତୀୟ ସନ୍ତାନ ଜନ୍ମ ସମୟରେ ପୁଣିଥରେ ସେ ଏହି ଅର୍ଥରାଶି ସହାୟତା ଆକାରରେ ପାଇଥିଲେ । ୨୦୧୭ ମସିହାରେ ବୁଦାଇଙ୍କ ତୃତୀୟ ସନ୍ତାନ ଜନ୍ମ ହୋଇଥିଲା । ଜଣେ ଆଦିମ ଜନଜାତି ମା’ ହିସାବରେ ସରକାରଙ୍କ ମମତା ଯୋଜନାର ସୁଫଳ ପାଇ ସେ ଡାକ୍ତରଖାନାରେ ସନ୍ତାନ ପ୍ରସବ କରାଇଥିଲେ । ସୁସ୍ଥ ଶିଶୁ ଏବଂ ନିରାପଦ ମାତୃତ୍ବ ତଥା ଆନୁଷଙ୍ଗିକ ପୌଷ୍ଟିକ ଆହାର ପାଇଁ ଏହି ଅର୍ଥରାଶି ତାଙ୍କ ପାଇଁ ବରଦାନ ସଦୃଶ ବୋଲି କହିବା ସହ ଏହି ଯୋଜନାର ସୁଫଳ ନେବାକୁ ସେ ତାଙ୍କ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =