ପୁରୀ ଜିଲ୍ଲାର କୌଣସି ସ୍ଥାନରେ ହଇଜାର ସୂଚନା ନାହିଁ

ଭୁବନେଶ୍ବର () ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ଦେଖା ଦେଇନାହିଁ । ଯେଉଁ କେତେକ ଝାଡାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଏଭଳି ଭୋଗୁଥିବାବେଳେ ଗୋଟିଏ ହେଲେ ନମୂନା ପରୀକ୍ଷାରେ ହଇଜା ମିଳିନଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି କୁହାଯାଇଛି ।

ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ପୁରୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଗତ କିଛିଦିନ ଧରି ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ଆସିବାରେ ଲାଗିଛନ୍ତି । ଏମାନଙ୍କୁ ତୁରନ୍ତ ଚିକିତ୍ସା ସହିତ ବିପଦ ଆଶଙ୍କାରେ ସମସ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନମୂନାରେ ହଇଜା ମିଳିନାହିଁ । ଇତି ମଧ୍ୟରେ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକରୁ କେତେକ ଝାଡାବାନ୍ତି ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବାବେଳେ ସେହି ସବୁ ସ୍ଥାନକୁ ତୁରନ୍ତ ଡାକ୍ତରୀଦଳ ପଠାଯାଇ ନମୂନା ସଂଗ୍ରହ କରାଯାଇଥିଲା । କୌଣସି ନମୂନାରୁ ହଇଜା ନଥିବା ଜଣାପଡିଥିବାବେଳେ ସେମାନେ ସମସ୍ତେ ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ପରେ ଚିକିତ୍ସିତ ହୋଇ ଫେରିଛନ୍ତି ।

ତେବେ ବାତ୍ୟା ହୋଇନଥିବା ସୋନପୁର ଜିଲ୍ଲା ନାୟକେନପାଲିର ଜାନୁମୁରା ଗ୍ରାମରେ ହଠାତ୍‍ ଝାଡାବାନ୍ତିରେ ୧୬ଜଣ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଅନୁଧ୍ୟାନରୁ ଜଣାଯାଇଛି ଯେ ସମସ୍ତ ଆକ୍ରାନ୍ତ ବ୍ୟକ୍ତି ବାସି ମିଠା ଖାଇ ଖାଦ୍ୟ ବିଷ କ୍ରିୟାର ଶିକାର ହୋଇଛନ୍ତି । ଇତି ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ତ୍ବରିତ କାର୍ଯ୍ୟାନୁଷ୍ଠାନ ଦଳ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଖାଦ୍ୟ ନମୂନା ସହିତ ରୋଗୀଙ୍କ ମଳ ଓ ପାନୀୟଜଳ ନମୂନା ସଂଗ୍ରହ କରିଛନ୍ତି । ବାତ୍ୟାଞ୍ଚଳରେ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସର୍ତକତା ଅଲମ୍ବନ କରି ସେହି ଅଞ୍ଚଳକୁ ଡାକ୍ତର, ପାରାମେଡିକ୍‍ ଏବଂ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ କରିଛି । ଏଠାକୁ ପର୍ଯ୍ୟାପ୍ତ ଔଷଧ ସହିତ ଜଳ ବିଶେଶଧନ ପାଇଁ ଆବଶ୍ୟକ ହାଲୋଜେନ, କ୍ଲୋରିନ୍‍ ଆଦି ଯୋଗାଇ ଦିଆଯାଇଛି । ଗାଁ କଲ୍ୟାଣ ସମିତି ଜରିଆରେ ଇତି ମଧ୍ୟରେ ୨୦ହଜାରରୁ ଅଧିକ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ୮୯,୦୯୧ ମୁକ୍ତ ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଇଛି ।

ବର୍ତ୍ତମାନ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଦଳ ସଂକ୍ରମଣ ସଂକ୍ରାନ୍ତରେ କୌଣସି ଆଗୁଆ ସର୍ତକ ସୂଚନା ଦେଇନାହାନ୍ତି । ତେବେ ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି । ପୁରୀ ଜିଲ୍ଲାର କୌଣସି କିଶୋରୀ ଓ ମହିଳା ଯେଭଳି ସଂକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ଆସନ୍ତା ଦୁଇମାସ ପାଇଁ ମାଗଣାରେ ୨୪ଲକ୍ଷ ସାନିଟାରୀ ନାପ୍‍କିନ୍‍ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ନିମାପଡା, ଗୋପ, ଅସ୍ତରଙ୍ଗ, କଣାସ, କାକଟପୁର ଓ ସତ୍ୟବାଦୀ ବ୍ଲକରେ ଏହାର ବଣ୍ଟନ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

16 − 13 =