ନବୀନଙ୍କ ଲକ୍ଷ୍ୟ : ସୁସ୍ଥ ଓଡିଶା, ସୁଖୀ ଓଡିଶା

ଭୁବନେଶ୍ବର () ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ହେଉଥିବା ବେଳେ ଆଜି ସେ ସବୁ ଅଂଚଳରେ ଲୋକଙ୍କୁ ଏମବିବିଏସ୍ ଡାକ୍ତରଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଆରମ୍ଭ କରିଛନ୍ତି ‘ଡିଜିଟାଲ ଡିସପେନସାରୀ’ ବ୍ୟବସ୍ଥା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋକାଲ ହେଲଥ କେଆର ସିଷ୍ଟମ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ଉପରୋକ୍ତ ମର୍ମରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ । ଡିଜିଟାଲ ଡିସପେନସରୀ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଗରିବ ଲୋକଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରଦାନରେ ସହାୟକ ହେବବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଡିଜିଟାଲ ଡିସପେନସରୀ ସ୍ଥାପନ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ବକ୍ତବ୍ୟ ରଖିଥିଲେ । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ସହିତ ରାଜିନାମା ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ପ୍ରତ୍ୟେକ ଡିଜିଟାଲ ଡିସ୍ପେନ୍ସାରିରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏମ୍ବିବିଏସ ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ ବ୍ୟବସ୍ଥା କରାଯାଇଛି । ଏଥିସହିତ ପ୍ରତ୍ୟେକ ଡିସ୍ପେନସାରିରେ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବରୋଟୋରୀ ଆସିଷ୍ଟାଂଟଙ୍କୁ ନିଯୁକ୍ତ କରାଯାଇଛି ।

ଏଠାରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯଥା ; ପରିସ୍ରା, ରକ୍ତରେ ହେମୋଗ୍ଲୋବିନ୍ ଓ ସର୍କରା ମାତ୍ରା ଚିହ୍ନଟ ନିମନ୍ତେ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି, ଗର୍ଭଧାରଣ ଚିହ୍ନଟ ଭଳି ବିଭିନ୍ନ ପ୍ରକାର ଆବଶ୍ୟକୀୟ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବିନାମୂଲ୍ୟରେ ଔଷଧ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସମସ୍ତ ସୁବିଧା ବିନାମୂଲ୍ୟରେ ଯୋଗାଇ ଦିଆଯିବ ।

ପରୀକ୍ଷାମୂଳକ ଭାବରେ ନବରଙ୍ଗପୁର ଜିଲ୍ଲାର ୨୫ଟି ଓ କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ବର୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ସେବା ଦ୍ବାରା ଉପକୃତ ହୋଇଛନ୍ତି ।

ପରୀକ୍ଷାମୂଳକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଡିଜିଟାଲ ଡିସପେନସାରିର ସଫଳତା ଆଧାରରେ ରାଜ୍ୟ ସରକାର ଏହି ସେବା ବ୍ୟବସ୍ଥାକୁ ସମ୍ପ୍ରସାରିତ କରି ଓଡ଼ିଶାର ୨୩ଟି ଜିଲ୍ଲାରେ ୧୦୨ଟି ସ୍ଥାନରେ ଡିଜିଟାଲ ଡିସ୍ପେନ୍ସାରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହି ଜିଲ୍ଲାଗୁଡିକ ହେଉଛି; ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ।

ଏହି ଜିଲ୍ଳାଗୁଡିକର ଦୁର୍ଗମ ଅଚଂଳ ମାନଙ୍କରେ ଯେଉଁଠି ଲୋକମାନେ ସାଧାରଣତଃ ଡାକ୍ତରଙ୍କ ନିକଟରେ ପହଚିଂପାରନ୍ତି ନାହିଁ ସେହିଠାରେ ଡିଜିଟାଲ ଡିସପେନସାରି ପ୍ରତିଷ୍ଠା କରାଯିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଦୁର୍ଗମ ଅଚଂଳରେ ବାସକରୁଥିବା ଅଧିବାସୀମାନଙ୍କ ଘର ପର୍ଯ୍ୟନ୍ତ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପହଚାଂଇ ହେବ ଓ ଏହା “ସୁସ୍ଥ ଓଡ଼ିଶା – ସୁଖୀ ଓଡ଼ିଶା” ଗଠନର ସ୍ବପ୍ନକୁ ସାକାର କରିବାରେ ସହାୟକ ହେବ ।  

Share

Leave a Reply

Your email address will not be published. Required fields are marked *

13 − 4 =