ଏସ୍‍ସିବିରେ ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା

ଭୁବନେଶ୍ବର () କର୍କଟ ରୋଗର ଆରମ୍ଭ ସମୟରେ ତାହାକୁ ଚିହ୍ନଟ କରିପାରୁଥିବା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବାୟୋକେମେଷ୍ଟ୍ରି ବିଭାଗରେ ସ୍ଥାପନ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ କୌଣସ ରାଜ୍ୟ ସରକାରୀ ମେଡିକାଲ କଲେଜରେ ପ୍ରତିଷ୍ଠା ହୋଇଥିବା ଏଭଳି ଅତ୍ୟାଧୁନିକ ପରୀକ୍ଷାଗାରକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍‍ଘାଟନ କରିଛନ୍ତି । ଏହି ପରୀକ୍ଷାଗାର ମାଧ୍ୟମରେ ପ୍ରାଥମିକ ସ୍ତରରେ ଥିବା ସ୍ତନ କର୍କଟ, ଫୁସ୍‍ଫୁସ୍‍ କର୍କଟ, ଅନ୍ତ୍ରାଶୟ କର୍କଟ ଓ ଗର୍ଭାଶୟ କର୍କଟ ଆଦିକୁ ଚିହ୍ନଟ କରାଯାଇ ପାରିବ । ମଣିଷଙ୍କ ଠାରେ ଦେଖା ଦେଉଥିବା ପାପିଲୋମା ଭାଇରସ୍‍ ସଂକ୍ରମଣ ଯାହାକି ମହିଳାମାନଙ୍କୁ କର୍କଟ ରୋଗ ହେବା ପୂର୍ବରୁ ସାଧାରଣ ଭାବେ ଦେଖାଯାଇଥଏ ତାହାକୁ ଠାବ କରାଯାଇ ପାରିବ । ଏହାଦ୍ବାରା ୨୦ ରୁ ୬୫ ବର୍ଷ ବୟସର ମହିଳାଙ୍କ ପରୀକ୍ଷା କରାଯାଇ ସେମାନଙ୍କୁ କର୍କଟ ଭଳି ମାରାତ୍ମକ ରୋଗ କବଳରୁ ରକ୍ଷା କରାଯାଇ ପାରିବ । ଆଇସିୟୁରେ ଥିବା ରୋଗୀମାନଙ୍କ ଠାରେ ଦେଖା ଦେଉଥିବା ପ୍ରାଣଘାତୀ ଏମ୍‍ଆରଏସ୍‍ଏ ସଂକ୍ରମଣକୁ ମଧ୍ୟ ପରୀକ୍ଷାଗାର ମାଧ୍ୟମରେ ପରୀକ୍ଷା କରାଯାଇ ସେମାନଙ୍କୁ ପ୍ରାଥମିକ ସ୍ତରରେ ଚିକିତ୍ସା କରାଯାଇ ପାରିବ ।

ଏହି ପରୀକ୍ଷାଗାର ମାଧ୍ୟମରେ ମ୍ୟାଲେରିଆର ଉପସ୍ଥିତିକୁ ବି ଠାବ କରାଯାଇ ପାରିବ । ଏହା ମାଧ୍ୟମରେ କେଉଁ ସଂକ୍ରମଣରୁ ମସ୍ତିସ୍କ ମ୍ୟାଲେରିଆ ହେଉଛି ତାହାକୁ ସହଜରେ ଠାବ କରାଯାଇ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଯାଇ ପାରିବ । ଏଥି ସହିତ ଏହି ପରୀକ୍ଷାଗାରରେ ଯକ୍ଷ୍ମାର ଭୂତାଣୁ ସହିତ ଏହାର ରୋଗ ପ୍ରତିରୋଧ ଶକ୍ତିକୁ ଠାବ କରାଯାଇ ରୋଗୀଙ୍କୁ ଆବଶ୍ୟକ ଔଷଧ ଜରିଆରେ ଚିକିତ୍ସା କରାଯାଇ ପାରିବ । ଏହି ଅତ୍ୟାଧୁନିକ ପରୀକ୍ଷାଗାର ଜରିଆରେ ସ୍ପଣ୍ଡିଲାଇସିସ୍‍ ଓ ଅନ୍ୟାନ୍ୟ ଗଣ୍ଠି ଜନିତ ସମସ୍ୟାକୁ ଚିହ୍ନଟ କରାଯାଇ ପାରିବ । ଏଥି ସହିତ ଏଠାରେ ସିକିଲିସେଲ. ଥାଲାସିମିଆ, କର୍କଟ, ମଧୁମେହ, ଉଚ୍ଚ ରପ୍ତଚାପ, ହୃଦ୍‍ଜନିତ ରୋଗ, ଆଲଝମେର ଓ ଉଦାସନୀତା ଆଦି ରୋଗର ଜେନେଟିକ୍‍ ପରୀକ୍ଷା କରାଯାଇ ତାହାର ପ୍ରକୃତ କାରଣ ଜାଣିବା ସହିତ ଆବଶ୍ୟକ ଚିକିତ୍ସା ହୋଇପାରିବ । ଏଥି ସହିତ ପରିବେଶଗତ ଓ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ କି ପ୍ରକାର ରୋଗ ବ୍ୟାପକୁ ତାହାର ମଧ୍ୟ ଏହି ପରୀକ୍ଷାଗାରରେ ଅନୁଧ୍ୟାନ ହେବ ।

ପ୍ରଥମେ ଏଭଳି ପରୀକ୍ଷା ଭାରତ ବାହାରେ ଉପଲବ୍ଧ ହେଉଥିଲା । ଆର୍ନ୍ତଜାତୀୟ ଘରୋଇ ପରୀକ୍ଷାଗାର ଗୁଡିକରେ ଏଥିପାଇଁ ରୋଗୀଙ୍କୁ ୨୫ହଜାରରୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାବେଳେ ରିପୋର୍ଟ ପାଇବାକୁ ୧୫ ଦିନରୁ ଏକମାସ ସମୟ ଲାଗିଯାଉଥିଲା । ବର୍ତ୍ତମାନ କଟକରେ ସ୍ଥାପିତ ପରୀକ୍ଷାଗାରରେ ସମ୍ପୂର୍ଣ୍ଣ ମାଗଣାରେ ମାତ୍ର କେଇ ଘଣ୍ଟାରେ ପରୀକ୍ଷା ରିପୋର୍ଟ ମିଳିପାରିବ । ଏହି ପରୀକ୍ଷାଗାର ଜରିଆରେ ଆର୍ନ୍ତଜାତୀୟ ସ୍ତରର ପରୀକ୍ଷା ସୁବିଧା ସହିତ ବିଭିନ୍ନ ବିଜ୍ଞାନ ଭିତ୍ତିକ ଗବେଷଣା ନିବନ୍ଧ ପ୍ରକାଶ ପାଇପାରିବ ।

Share

Leave a Reply

Your email address will not be published. Required fields are marked *

two × 4 =