ସ୍ବାସ୍ଥ୍ୟ ସଚିବଙ୍କ ତାଗିଦ : ନିରାଶ ହୋଇ ଫେରିବେନି ରୋଗୀ

ଭୁବନେଶ୍ବର () ଗତାକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଯାପିତ ହୋଇଛି । ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିବା ପ୍ରାୟ ୧୫ ଟି ନୂତନ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ଏହି ସବୁ ଯୋଜନାଗୁଡିକର କାର୍ଯ୍ୟାକାରୀତା ଏବଂ ସ୍ବାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ସଂପର୍କରେ ପ୍ରତି ମାସରେ ନିୟମିତ ଭାବେ ପରିଦର୍ଶନ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟ ବଜେଟରେ ବୟବରାଦ ହୋଇଥିବା ଅର୍ଥର ପୂର୍ଣ୍ଣ ବିନିଯୋଗ କରିବାକୁ ଆବଶ୍ୟକ ପଦକ୍ଷେପଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ନିରାମୟ ମାଧ୍ୟମରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ଯଦି ନିରାମୟରେ କୌଣସି ଔଷଧ ସରିଯାଇଥିବ ତାହା ହେଲେ ସଂପୃକ୍ତ ଡାକ୍ତରଖାନା ତରଫରୁ ସେମାନଙ୍କୁ ପ୍ରଦାନ କରାଯାଇଥିବା ଅର୍ଥରୁ ସେହି ସବୁ ଔଷଧ କ୍ରୟ କରି ରୋଗୀଙ୍କୁ ପ୍ରଦାନ କରିବେ । ନିଦାନ ଯୋଜନାରେ ରୋଗନିରୂପଣ ନିମନ୍ତେ ହାଇ-ଏଣ୍ଡ ପାଥୋଲୋଜି ପରୀକ୍ଷା ଠାରୁ ଆରମ୍ଭ କରି କଲଚର୍, ସେନ୍ସିଭିଟି, ବୋନମ୍ୟାରୋ, ସିଟିସ୍କାନ, ଏମ୍.ଆର୍.ଆଇ ଟେଷ୍ଟ, ସହାୟ ଯୋଜନାରେ ମାଗଣା ଡାଏଲିସିସ୍ ସେବା ଆଦି ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଇଛି । ଏଣୁ ଏହି ସବୁ ସେବା ଆବଶ୍ୟକ କରୁଥିବା ରୋଗୀମାନେ ଯେପରି ସେବା ପାଇବାରୁ ବଂଚିତ ନହୁଅନ୍ତି ତାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ଡାକ୍ତରଖାନା ଗୁଡିକର ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି ।

ଦୁର୍ଗମ ଅଂଚଳମାନଙ୍କରେ ଗର୍ଭବତୀ ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରସବ ନିମନ୍ତେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଏକହଜାର ଟଙ୍କା ଏବଂ ପ୍ରସବପରେ ଘରକୁ ଫେରିବା ପାଇଁ ୫୦୦ ଟଙ୍କା ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦବ୍ୟତିତ ରାଜ୍ୟ ସରକାରଙ୍କ ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ଦିଗରେ ଆବଶ୍ୟକ ପଦ କ୍ଷେପଗ୍ରହଣ କରିବାକୁ କୁହାଯାଇଛି । ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା ତଥା ସ୍ବାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ସମନ୍ବୟ ରକ୍ଷାକରି ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ ଦିଗରେ କାର୍ଯ୍ୟକରିବାକୁ ପରାମର୍ଶ  ଦିଆଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ ,ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ସ୍ବପ୍ନେଶ୍ବର ଗଡନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ନୂତନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

11 − five =