ମ୍ୟାଲେରିଆ ଗବେଷଣା ହବ୍‍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର () ରାଜ୍ୟରେ ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଆଇସିଏମ୍‍ଆର, ଆରଏମ୍‍ଆରସି ସହିତ ଏନ୍‍ଆଇଏମ୍‍ଆର ଓ ଏନ୍‍ଭିବିଡିସିପିର ଅବଦାନ ଅନସ୍ୱୀକାର୍ଯ୍ୟ । ଓଡିଶାରେ ମ୍ୟାଲେରିଆ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଭୁବନେଶ୍ୱର ଆରଏମ୍‍ଆରସି୍‍ ପ୍ରମୁଖ ଗ୍ରହଣ କରିଆସୁଛି । ତେଣୁ ଆରଏମ୍‍ଆରସି ଏ କ୍ଷେତ୍ରରେ ନେତୃତ୍ୱ ନେବା ସହିତ ଭୁବନେଶ୍ୱର ଠାରେ ମ୍ୟାଲେରିଆ ଗବେଷଣା ହବ୍‍ ପ୍ରତିଷ୍ଠା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କମନ୍ତ୍ରୀ ପ୍ରତାପ ଜେନା ପ୍ରସ୍ତାବ ଦେଇଛନ୍ତି । ଆଜି ଏଠାରେ ତିନିଦିନ ବ୍ୟାପି ଆରମ୍ଭ ହୋଇଥିବା ନେସ୍‍ନାଲ ଏକାଡେମୀ ଅଫ୍‍ ଭେକ୍ଟର ଆଣ୍ଡ ଭେକ୍ଟର ବର୍ଣ୍ଣ ଡିଜିଜ୍‍ (ଏନ୍‍ଏଭିବିଡି)ର ୧୪ତମ ଆର୍ନ୍ତଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି । ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ସଂସ୍ଥାର ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିବା ସହିତ ଦିନକୁ ଦିନ ଏହିଭଳି ରୋଗ ବୃଦ୍ଧି ପାଉଥିବା ଦର୍ଶାଇଥିଲେ । ଅଣସଂକ୍ରମିତ ରୋଗକୁ ଭାରତବର୍ଷରେ ଅଣଦେଖା କରାଯାଇ ପାରିବନାହିଁ । ଗତ ୨୫ବର୍ଷ ମଧ୍ୟରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏନ୍‍ଏଭିବିଡିର କାର୍ଯ୍ୟକୁ ସମଗ୍ର ଦେଶ ଧନ୍ୟବାଦ ଦେବା ଆବଶ୍ୟକ ।

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣର ସଫଳତା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୧୮ରେ ସ୍ଥାନ ପାଇଛି । ମ୍ୟାଲେରିଆ ନିୟନ୍ତ୍ରଣ ଓଡିଶା ପାଇଁ ବଡ ଆହ୍ୱାନ ହୋଇଥିବାବେଳେ ରାଜ୍ୟର ୨୨ଟି ଜିଲ୍ଲାର ୪୬ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଥିଲେ । ତେଣୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ । ତଳ ସ୍ତରରେ ଥିବା ଆଶା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରିଶ୍ରମ ଯୋଗୁଁ ଦମନରୁ ସଫଳତା ମିଳିଛି । ୨୦୩୦ ସୁଦ୍ଧା ସମଗ୍ର ଦେଶରୁ ମ୍ୟାଲେରିଆ ବିଲୋପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମୟସୀମା ଦେଇଥିବାବେଳେ ଆଜିର ଏହି ସମ୍ମିଳନୀ ଏ କ୍ଷେତ୍ରରେ ବେଶ୍‍ ସହାୟକ ହେବ । ଦମନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ଫ୍ଲାଗସିପ୍‍ ଯୋଜନା ହୋଇଥିବାବେଳେ ଆଇସିଏମ୍‍ଆର, ଆରଏମ୍‍ଆରସି ଓ ଏନ୍‍ଭିବିଡିସିପି ଏବଂ ଗ୍ଲୋବାଲଫଣ୍ଡ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଓଡିଶାରେ ଏବେ ଆଉ ବିଗତ ଦିନର ମ୍ୟାଲେରିଆ ସ୍ଥିତି ନାହିଁ । ରାଜ୍ୟ ସରକାରଙ୍କ ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯୋଗୁଁ ଏହା ୮୦ ପ୍ରତିଶରୁ ଅଧିକ ହ୍ରାସ ପାଇଛି । ତେବେ ଏହି ଧାରାକୁ ଆଗାମୀ ଦିନରେ ବଜାୟ ରଖିବା ଆମ ସମସ୍ତପାଇଁ ଏକ ଆହ୍ୱାନ । ଭୁବନେଶ୍ୱର ଆରଏମ୍‍ଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ତାଙ୍କ ସ୍ୱାଗତ ଭାଷଣରେ ଏହି ଆର୍ନ୍ତଜାତୀୟ ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଭେକ୍ଟର ଏବଂ ଭେକ୍ଟର ବାହିତ ରୋଗ ନିରାକରଣ ଦିନରେ ଆରଏମ୍‍ଆରସିର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇସିଏମ୍‍ଆରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଭୂଷଣ ପ୍ରଫେସର ଏନ୍‍.କେ.ଗାଙ୍ଗୁଲି, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏସ୍‍.ପି.ଦାଶ, ଆଇସିଏମ୍‍ଆର-ଏନ୍‍ଆଇଏମ୍‍ଆର ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ନବୀନ ଭାଲେଚା, ଏନ୍‍ଏଭିବିଡିର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆର.ଏସ୍‍.ଶର୍ମା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

1 × 1 =