ନରସିଂହଙ୍କ ଘରେ ତଥ୍ୟ ଅନୁସନ୍ଧାନ କମିଟି ବୈଠକ

ଭୁବନେଶ୍ବର () : କୋରାପୁଟ ଜିଲ୍ଲାରେ କଂଗ୍ରେସ ସଂଗଠନରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଏଥିପାଇଁ ଏକ ଚାରି ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଅନନ୍ତ ସେଠୀ, ଜଗନ୍ନାଥ ପଟ୍ଟନାୟକ ଏହି କମିଟିର ସଦସ୍ୟ ରହିଛନ୍ତି । କୋରାପୁଟ ଜିଲ୍ଲାରେ ବିଧାୟକ ତାରା ବାହିନିପତି ଓ କୃଷ ସଗରିଆଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତିର ସମାଧାନ ପାଇଁ ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ ପ୍ରଥମ ତଥ୍ୟ ଅନୁସନ୍ଧାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

କୋରାପୁଟରେ ତାରା-ସଗରିଆ ବିବାଦ ରାଜ୍ୟ କଂଗ୍ରେସର ମୂଳଦୁଆ ହଲେଇ ଦେଇଛି । ଏହି ବିବାଦ କଂଗ୍ରେସ ଦଳରେ ରହିଥିବା ଆଭ୍ୟନ୍ତରିଣ କନ୍ଦଳକୁ ମଧ୍ୟ ପଦାରେ ପକାଇଛି । ଯଦିଓ ତାରା କୃଷଙ୍କ ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ମତ ରଖୁନାହାଁନ୍ତି, କୃଷ କିନ୍ତୁ ଜୟପୁର ବିଧାୟକ ଓ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତିଙ୍କ ବିରୋଧରେ ଗଣମାଧ୍ୟମ ଏବଂ ସାଧାରଣ ସଭାରେ ଖୋଲାଖୋଲି ବିବୃତି ଦେଉଛନ୍ତି । ଏହାଦ୍ବାରା ଜିଲ୍ଲାର ଏହି ଦୁଇ ବିଧାୟକ କେହି କାହାକୁ ସହ୍ୟ କରିବା ସ୍ଥିତିରେ ନାହିଁ ।

ଏକଦା ପରମ ବନ୍ଧୁ ଥିବା ଏହି ଦୁଇ ବିଧାୟକଙ୍କ ମଧ୍ୟରେ ଏପ୍ରକାର ମନାନ୍ତର କୋରାପୁଟ କଂଗ୍ରେସ ଗଡକୁ ଦୁର୍ବଳ କରୁଛି । ଏଥିସହିତ ନିକଟରେ ଜିଲ୍ଲା କମିଟିର ପୁର୍ନଗଠନ ସମୟରେ ତାରା କିମ୍ବା ତାଙ୍କ ପତ୍ନୀଙ୍କ ମତାମତ ନନେଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ତାରା ଦଳୀୟ ନେତୃତ୍ବ ଉପରେ କ୍ଷୁବ୍ଧ । କିନ୍ତୁ ଏ ସଂପର୍କରେ ସେ ଗଣମାଧ୍ୟମକୁ କୌଣସି ମତାମତ ଦେବାକୁ ନାରାଜ । ତେବେ ମିଳୁଥିବା ସୂଚନା ଅନୁଯାୟୀ ସେ ଓ ତାଙ୍କ ଜିଲା ସଭାପତି ପତ୍ନୀ ପିସିସି ସଭାପତିଙ୍କୁ ନିଜର ଅସନ୍ତୋଷ ବ୍ୟକ୍ତ କରି ଲିକ୍ଷିତ ଭାବେ ଜଣାଇଛନ୍ତି । ଅବଶ୍ୟ ଏହି ସମସ୍ୟା କେବଳ କୋରାପୁଟ ଜିଲ୍ଲାରେ ନାହିଁ । ସବୁ ଜିଲ୍ଲାରେ ଉଣାଅଧିକେ ଏହି ସମସ୍ୟା ସୃଷ୍ଟି ହୋଇଛି । ପିସିସିର ତିନି କାର୍ଯ୍ୟକାରୀ ସଭାପତିଙ୍କ ଏକଚାଟିଆ କାରବାର ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ପରୋକ୍ଷରେ ଅସନ୍ତୁଷ୍ଟ ନେତାମାନେ କହୁଛନ୍ତି । କିନ୍ତୁ ସଭାପତି ଓ ପ୍ରଭାରିଙ୍କ ତାଗିଦ ଯୋଗୁଁ କେହି ଗଣମାଧ୍ୟମରେ ଦଳ କଥା ଚର୍ଚ୍ଚା କରିବାକୁ ନାରାଜ । କଟକ ଜିଲ୍ଲାରେ ବିଧାୟକ ପ୍ରକାଶ ବେହେରା ମଧ୍ୟ କ୍ଷୁବ୍ଧ ଥିବା ଜଣାପଡିଛି ।

ତାରା-ସଗରିଆ କଳି ଅନ୍ୟ ଜିଲ୍ଲାର ଅସନ୍ତୁଷ୍ଟ ନେତାଙ୍କୁ ପଦାକୁ ଆସିବାକୁ ଖୋରାକ ଯୋଗାଉଛି । ତେଣୁ ପିସିସି ସଭାପତି ଏହି ସମସ୍ୟାର ସମାଧାନ ପାଇଁ ତଥ୍ୟ ଅନୁସନ୍ଧାନ କମିଟିକୁ ଦାୟିତ୍ବ ଦେଇଛନ୍ତି । ଆଜି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତି ବୈଠକରେ ଉଭୟ ତାରା ଓ ସଗରିଆଙ୍କୁ ଡାକି ମୁହାଁମୁହିଁ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 1 =