ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ବର () ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ସୁନେତ୍ର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ ଟି ଜିଲ୍ଲାରେ ୫୩ ଟ ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହିତ ୧୦ ଟି ଜିଲ୍ଲାରେ ଭ୍ରାମାମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ସଚିବାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ୧୦ ଜିଲ୍ଲା ନିମନ୍ତେ ଭ୍ରାମ୍ୟମାଣ ଦୃଷ୍ଟି ଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ।

ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଆଇଏପିପିର  ଅନ୍ଧତ୍ବ ଦୂରୀକରଣ ସମ୍ପର୍କିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟରୁ ଚକ୍ଷୁ ସମସ୍ୟା ଦୂର ଲାଗି ପ୍ରତିଶ୍ରୁତିବଦ୍ଧ ।  ‘ସୁନେତ୍ର’ ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ବ ଆରୋପ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ଧତ୍ବ ଦୂରିକରଣ ଲକ୍ଷ୍ୟ ହାସଲ ଏବଂ ଉନ୍ନତମାନର ଚକ୍ଷୁ ଚିକିତ୍ସା ବ୍ୟବସ୍ଥା , ଚଷମା ଯୋଗାଇ ଦେବା ଆଦି ପାଇଁ ବ୍ୟବସ୍ଥା ହୋଇଛି  ।

ଏଥି ସହିତ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର, ଗୋଷ୍ଠି ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି ଚିକିତ୍ସା ସହିତ ସମସ୍ତ ପ୍ରକାର ଗୁରୁତର ଚକ୍ଷୁ ରୋଗର ମାଗଣା ଚିକିତ୍ସାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ୫୩ ଟି ଦୃଷ୍ଟି (ଭିଜନ) କେନ୍ଦ୍ର ସ୍ଥାପନ ସହିତ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ଆରମ୍ଭ ହୋଇଛି । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ । ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରାଯିବା ନିମନ୍ତେ ୱେବ୍ ପୋର୍ଟାଲ, ମୋବାଇଲ ଆପ୍ ଏବଂ ଇଲେକଟ୍ରନିକ୍  ମେଡିକାଲ ରିପୋର୍ଟ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ସୁନେତ୍ର କାର୍ଯ୍ୟକ୍ରମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅର୍ଚ୍ଚନା ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶୁଲ କରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + 14 =