ସବୁ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ 48 ଘଣ୍ଟା ମାଗଣା ଚିକିତ୍ସା

ଭୁବନେଶ୍ବର () ସାଂପ୍ରତିକ ସ୍ଥିତିରେ ରାସ୍ତା ସୁରକ୍ଷା ସମଗ୍ର ପୃଥିବୀରେ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି । ଦୁର୍ଘଟଣାଜନୀତ ମୃତ୍ୟୁହାର କମାଇବା ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିମାନଙ୍କର ଜୁରୁର ଚିକିତ୍ସା ପାଇଁ ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଛନ୍ତି ।

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ 48 ଘଣ୍ଟା ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ । ଯେଉଁ ସମୟ ମଧ୍ୟରେ ଆବଶ୍ୟକ ଚିକିତ୍ସା ନପାଇଲେ, ମୃତ୍ୟୁତର ସମ୍ଭାବନା ଅଧିକ । ଯେପରି ଦୁର୍ଘଟଣାଗ୍ରସ୍ତ କୌଣସି ଗୁରୁତ୍ତର ଆଘାତ ବ୍ୟକ୍ତି ମୃତ୍ୟୁମୁଖରେ ନପଡନ୍ତି, ସେଥିପାଇଁ ସରକାର ଯତ୍ନଶୀଳ ଅଟନ୍ତି । ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଦୁର୍ଘଟଣାଗ୍ରସ୍ତମାନଙ୍କ ଚିକିତ୍ସା କରାଇବା ପାଇଁ ସରକାର ସ୍ଥିର କରିଛନ୍ତି । ଏହି ଚିକିତ୍ସା ଖର୍ଚ୍ଚ ସରକାର ଓଡିଶା ରାସ୍ତା ସୁରକ୍ଷା ପାଣ୍ଠିରୁ ଭରଣା କରିବେ ।

ପ୍ରଥମେ କଟକ ଓ ଭୁବନେଶ୍ବରରେ ଏହା ଉପଲବ୍ଧ କରାଯାଇ ପରେ ବ୍ରହ୍ମପୁର, ରାଉଲକେଲା ଓ ସମ୍ବଲପୁର ଆଦି ବଡ ସହରରେ ବେସରକାରୀ ଚିକିତ୍ସାଳୟଗୁଡିକୁ ଅନ୍ତର୍ଭୁକ୍ତ କରାଯିବ । ଏହି ସ୍କିମରେ ଆପୋଲ, ଆମ୍ରି ଓ ଅଶ୍ବିନୀ ଆଦି ବଡ ହସ୍ପିଟାଲମାନଙ୍କରେ ମଧ୍ୟ ଏହି ଚିକିତ୍ସା ଉପଲବ୍ଧ କରାଯାଉଛି । ସେଥିପାଇଁ ପ୍ରଥମ ଦଫାରେ 4 କୋଟି ଟଙ୍କା ରାସ୍ତା ସୁରକ୍ଷା ପାଣ୍ଠିରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାକୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଏକ କାର୍ଯ୍ୟ ଖସଡା ମଧ୍ୟ ପ୍ରସ୍ତୁତ ହୋଇଛି ।

ଆହତ ବ୍ୟକ୍ତି, ନିକଟସ୍ଥ ପ୍ରାଇଭେଟ ହସ୍ପିଟାଲରେ ପହଞ୍ଚିବା ପରେ ଅତିଶୀଘ୍ର ଚିକିତ୍ସା ଆରମ୍ଭ କରି ଡିଏମଇଟିଙ୍କୁ ଜଣାଇବେ । ଡିଏମଇଟି ଚିକିତ୍ସା ଚାଲୁ ରଖିବା ପାଇଁ ଏକ ବିଧିବଦ୍ଥ ଆଦେଶ ଉକ୍ତ ହସ୍ପିଟାଲକୁ ଦେବେ । 48 ଘଣ୍ଟା ପରେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ପ୍ରମାଣ ସହ ଚିକିତ୍ସା ଖର୍ଚ୍ଚ ଡିଏମଇଟିଙ୍କୁ ଜଣାଇବେ ଏବଂ ଡିଏମଇଟି ଉପଯୁକ୍ତ ନିରୀକ୍ଷା ପରେ ଏକ ସପ୍ତାହ ମଧ୍ୟରେ ଦେୟ ପ୍ରଦାନ କରିବେ । ପରିବହନ ବିଭାଗ ଦ୍ବାରା ପ୍ରଦତ୍ତ ପାଣ୍ଠି ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରି ଟ୍ରିଟମେଣ୍ଟ ଫର ଟ୍ରମା ଫଣ୍ଡ ନାଁରେ ଗଛିତ ରହିବ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଜଣେ ନୋଡାଲ ଅଫିସର ଓ ପ୍ରୋଗାମ ସହୟକ ଉପରୋକ୍ତ ସ୍କିମ ଦାୟିତ୍ବରେ ରହିବେ । ସେମାନଙ୍କ ଯୋଗାଯୋଗ ନମ୍ବର ହେଲା -9439991170 ଓ 9437232987 । ଏବଂ ଇମେଲ ଆଇଡି ହେଉଛି [email protected]

Share

Leave a Reply

Your email address will not be published. Required fields are marked *

four + 16 =