ଏହି କାରଣରୁ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ

 ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଦିବସ କାହିଁକି ପାଳନ କରାଯାଏ?
ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା।

୧୯୧୭ ମସିହା ଯୁଦ୍ଧ ସମୟରେ, ରୁଷ ମହିଳାମାନେ ‘ରୁଟି ଏବଂ ଶାନ୍ତି’ ଅର୍ଥାତ୍ (ଖାଦ୍ୟ ଏବଂ ଶାନ୍ତି) ଦାବି କରିଥିଲେ। ମହିଳାଙ୍କ ଏହି ଧର୍ମଘଟ ସମ୍ରାଟ୍ ନିକୋଲାସଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ପରେ ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ। ସେହି ସମୟରେ ରୁଷରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହୃତ ହେଉଥିଲା। ମହିଳାମାନେ ଧର୍ମଘଟ କରିଥିବା ତାରିଖ ଥିଲା ୨୩ ଫେବୃୟାରୀ। ତେବେ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ଏହି ଦିନ ୮ ମାର୍ଚ୍ଚ ଥିଲା ଏବଂ ସେବେଠାରୁ ଅନ୍ତର୍ଜାତୀୟ ମହିଳା ଦିବସ ୮ ମାର୍ଚ୍ଚରେ ପାଳନ କରାଗଲା।

ଅନେକ ଦେଶରେ ଏହି ଦିନଟିକୁ ଜାତୀୟ ଛୁଟି ଘୋଷଣା କରାଯାଏ। ରୁଷ ଏବଂ ଅନ୍ୟାନ୍ୟ ଦେଶରେ ଏହି ଦିନ ଫୁଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ସମୟରେ ମହିଳା ଏବଂ ପୁରୁଷ ପରସ୍ପରକୁ ଫୁଲ ଦିଅନ୍ତି। ଚାଇନାର ଅଧିକାଂଶ କାର୍ୟ୍ୟାଳୟରେ ମହିଳାମାନଙ୍କୁ ଅଧାଦିନ ଛୁଟି ଦିଆଯାଏ। ଯୁକ୍ତରାଷ୍ଟ୍ରରେ ମାର୍ଚ୍ଚ ମାସକୁ ମହିଳା ଇତିହାସ ମହୋତ୍ସବ ଭାବରେ ପାଳନ କରାଯାଏ ।

Share

Leave a Reply

Your email address will not be published. Required fields are marked *

one × three =