ସାଉଥ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’

ନୂଆଦିଲ୍ଲୀ: ସାଉଥ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଏ ବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି । ଭାରତୀୟ ଚଳଚ୍ଚିତ୍ରର ଜନକ ଧୁନ୍ଦିରାଜ୍‌ ଗୋବିନ୍ଦ ଫାଲ୍‌କେଙ୍କ ନାମରେ ନାମିତ ଏହି ସମ୍ମାନଜନକ ପୁରସ୍କାର ୧୯୬୯ରେ ଆରମ୍ଭ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଏ। ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଏହା ସବୁଠୁ ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ। ପୁରସ୍କାର ଭାବେ ୧୦ ଲକ୍ଷ ଟଙ୍କାର ନଗଦ ଅର୍ଥ ସହ ଏକ ‘ସ୍ୱର୍ଣ୍ଣ କମଳ’ (ସୁବର୍ଣ୍ଣ ପଦ୍ମ) ପ୍ରଦାନ କରାଯାଏ।

ଏକ ସାମ୍ବାଦିକ ସମ୍ମିଳନୀରେ ଜାବଡେକର କହିଛନ୍ତି,ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍‌ ଅଭିନେତା ରଜନୀକାନ୍ତଜୀଙ୍କୁ ୨୦୧୯ ବର୍ଷ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ । ଜଣେ ଅଭିନେତା, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି । ଦେଶର ସବୁ ପ୍ରାନ୍ତର ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଗାୟକ, ସଙ୍ଗୀତକାରଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳୁଥିବାରୁ ଆମେ ବହୁତ ଖୁସି ଅଛୁ । ରଜନୀକାନ୍ତ ଗତ ୫ ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିବା ସହ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି । ଏଥି ଯୋଗୁଁ ଚଳିତ ବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ରଜନୀକାନ୍ତଙ୍କୁ ଏହି ଆଓ୍ବାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।‘ଅନ୍ଧା କାନୁନ୍‌’, ‘ଗିରଫତାର୍‌’ ‘ହମ୍‌’ ‘ଜନ୍‌ଜାନି ଜନାର୍ଦ୍ଦନ୍‌’, ‘ଦୋସ୍ତି ଦୁସ୍ମନୀ’, ‘ଭଗବାନ ଦାଦା’ ଆଦି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରିଛନ୍ତି । ନିକଟ ଅତୀତରେ ସେ ଏଆର୍‌ ମୁରୁଗାଦୋସ୍‌ଙ୍କ ‘ଦରବାର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twenty − three =