ରବିଶଙ୍କରଙ୍କୁ ଜୟଦେବ ସମ୍ମାନ, ହେଲୋ ଆର୍ସି ପାଇଲା 4ଟି ସମ୍ମାନ

ଭୁବନେଶ୍ବର (): ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 2017 ମସିହା ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପୀ ସାଧନା ପାଇଁ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ ପାଇବେ। ଦ୍ଵିତୀୟ ସର୍ବୋଚ୍ଚ ସମ୍ମାନ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ ହେଲୋ ଆର୍ସି ପାଇଁ ଅଜୟ ରାଉତରାୟଙ୍କୁ ମନୋନିତ କରାଯାଇଛି। ହେଲୋ ଆର୍ସି ଶ୍ରେଷ୍ଠ ନିର୍ଦେଶକ ଓ ଶ୍ରେଷ୍ଠ ନାୟକ ସମ୍ମାନ ସମେତ 4ଟି ବିଭାଗରେ ପୁରସ୍କାର ହାସଲ କରିବା ପାଇଁ ସମର୍ଥ ହୋଇଛି।

ଚଳଚ୍ଚିତ୍ର ବିଭାଗର27ଟି କାଟାଗୋରୀ ମଧ୍ୟରୁ 25ଟି କାଟାଗୋରୀ ପାଇଁ ନାମ ଘୋଷଣା କରାଯାଇଥିବା ବେଳେ 2ଟି ବିଭାଗ (ଶ୍ରେଷ୍ଠ ଡକୁମେଣ୍ଟାରୀ ଫିଲ୍ମ ଓ ଆଦିବାସୀ ଭାଷାର  ଶ୍ରେଷ୍ଠ ଫିଲ୍ମ) ନିମନ୍ତେ କୌଣସି ନୋମିନେସନ ନମିଳିବାରୁ  କାହାରିକୁ ମନୋନିତ କରାଯାଇନି।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ବିତ ମହାନ୍ତି (ହେଲୋ ଆର୍ସି), ଶ୍ରେଷ୍ଠ ନାୟକ ଭାବେ ପାର୍ଥ ସାରଥୀ ରାୟ (ହେଲୋ ଆର୍ସି), ଶ୍ରେଷ୍ଠ ସଂଳାପ ଲେଖକ ଭାବେ ସମ୍ବିତ ମହାନ୍ତି (ହେଲୋ ଆର୍ସି), ଶ୍ରେଷ୍ଠ ନାୟିକା ଭାବେ ସୁନମୀରା ନଗେସ (ଲୈଲା ଓ ଲୈଲା)ଙ୍କୁ ମନୋନିତ କରାଯାଇଛି ।

ସେହିପରି ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ଭାବେ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ନୂଆ ବୋହୂ ଧାରାବାହିକକୁ ବଛାଯାଇଛି। ଶ୍ରେଷ୍ଠ ପ୍ରଯୋଜକ ଭାବେ ରଗଡ଼ ଧାରାବାହିକ  ନିର୍ଦେଶକ ଅଶୋକ କୁମାର ମିଶ୍ରଙ୍କୁ ଏବଂ ଶ୍ରେଷ୍ଠ ନିର୍ଦେଶକ ଭାବେ ନିରୁପାୟର ସାରଦା ପ୍ରସନ୍ନ ସ୍ବାଇଁଙ୍କ ନାମ ଘୋଷଣା କରାଯାଇଛି। 20ଟି ବିଭାଗ ପାଇଁ ନାମ ଚୟନ ହେବାକୁ ଥିବା ବେଳେ  ଶ୍ରେଷ୍ଠ ଆଦିବାସୀ ଭାଷାର ଟେଲି ଫିଲ୍ମକୁ ଛାଡି 19ଟି ବିଭାଗ ପାଇଁ  ନାମ ଘୋଷଣା କରାଯାଇଛି। ଆସିଥିବା ସମସ୍ତ ଏଣ୍ଟ୍ରି ଗୁଡିକ ମଧ୍ୟରୁ ମୌଳିକ ଓଡ଼ିଆ ଚଳଚ୍ଚିତ୍ର ବାଛିବା ପାଇଁ ଜୁରୀ ସଦସ୍ୟଙ୍କୁ ବେଶ ଅକଡ଼ରେ ପକାଇଥିବା ଚଳଚ୍ଚିତ୍ର ଜୁରୀ କମିଟିର ଅଧ୍ୟକ୍ଷ ପ୍ରଫୁଲ କର କହିଛନ୍ତି। ବ୍ୟବସାୟୀକ କ୍ଷେତ୍ରରେ ସଫଳ ଲାଭ କରୁଥିବ ଫିଲ୍ମ ଗୁଡିକ ଏହି ପୁରସ୍କାର ପାଇବାରୁ ବଞ୍ଚିତ ହେଉଥିବାରୁ ଲକ୍ଷ୍ୟ କରାଯାଇଛି। ଏବେ ବହୁ ପରିମାଣର ଓଡ଼ିଆ ଫିଲ୍ମ ଅନ୍ୟ ଭାଷାରୁ କପି ପେଷ୍ଟ ହେଉଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ବେଳେ ଏନେଇ ଆଗାମୀ ଦିନରେ ଚଳଚିତ୍ର ପ୍ରଯୋଜକ ମାନେ ଦୃଷ୍ଟି ଦେବାକୁ ଚୟନ କମିଟି ପକ୍ଷରୁ କୁହାଯାଇଛି।

ଆସନ୍ତା ଏକ ଓ ଦୁଇ ତାରିଖରେ ସମାରୋହ ଉତ୍କଳ ମଣ୍ଡପରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

thirteen + ten =