ଭାରତର ସବୁଠାରୁ ପାଓ୍ଵାରଫୁଲ ମହିଳା ତାଲିକାରେ ବଲିଉଡର ଏକମାତ୍ର ଅଭିନେତ୍ରୀ

ଫରଚ୍ୟୁନ ଇଣ୍ଡିଆ ୨୦୧୯ ତାଲିକାରେ ସ୍ଥାନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ୫୦ ଜଣଙ୍କ ମଧ୍ୟରେ ଅନୁଷ୍କା ୩୯ ସ୍ଥାନରେ ରହିଛନ୍ତି। ଏହି ଲିଷ୍ଟରେ ସାମିଲ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସବୁଠାରୁ କମ୍‌ ବୟସ୍କା ହେଉଛନ୍ତି ଅନୁଷ୍କା। ଅନୁଷ୍କା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକମାତ୍ର ଅଭିନେତ୍ରୀ ଯିଏକି ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି।

ଫରଚ୍ୟୁନ ଇଣ୍ଡିଆ ଏହି ତାଲିକା ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ ବାର୍ଷିକ ର‍୍ୟାଙ୍କିଂ ଏବଂ ବ୍ୟାପର କୌଶଳ , ସାମାଜିକ ଓ ସାଂସ୍କୃତିକ ପ୍ରଭାବ ଆଧାରରେ କରାଯାଏ। ଏହି ତାଲିକାରେ ଅନୁଷ୍କାଙ୍କୁ ସାମିଲ କରି ଫରଚ୍ୟୁନ ଇଣ୍ଡିଆ ଅତି ଚମତ୍କାର ପରିଚୟ ମଧ୍ୟ ଲେଖିଛନ୍ତି। ଏଥିରେ ଲେଖାଯାଇଛି, ‘ଅନୁଷ୍କା କେବଳ ନିଜର ଫ୍ୟାଶନ ରେଞ୍ଜ ନୁହେଁ ବରଂ ବ୍ରାଣ୍ଡ୍‌କୁ ଏକ ନୂଆ ପରିଚୟ ଦେଇଛନ୍ତି। ଏହାଛଡା ସେ ଜଣେ ପ୍ରଯୋଜିକା। ୨୫ ବର୍ଷ ବୟସରେ ଫିଲ୍ମ ନିର୍ମାଣ କରି ନିଜର ଏକ ମାଇଲଖୁଣ୍ଡ ପ୍ରସ୍ତୁତ କରିଛନ୍ତି। ଏହା ବ୍ୟତୀତ ଆମାଜନ ପ୍ରାଇମ ଭିଡିଓ ପାଇଁ ଏକ ୱେବ ସିରିଜ ପ୍ରସ୍ତୁତ କରୁଛି ଅନୁଷ୍କାଙ୍କ କମ୍ପାନୀ।

କିନ୍ତୁ ଅନୁଷ୍କାଙ୍କ ଏହି ସଫଳତାକୁ ପସନ୍ଦ କରିନାହାନ୍ତି କେଆରକେ। ସବୁବେଳେ ଅନ୍ୟକୁ କମେଣ୍ଟ ମାରି ଚର୍ଚ୍ଚାରେ ରହିଥାନ୍ତି କମାଲ ଆର ଖାନ୍‌। ଏହାକୁ ନେଇ କେଆରକେ ଟ୍ଵିଟ୍‌ କରିଛନ୍ତି ‘ଅନୁଷ୍କା ଶର୍ମା ୨୦୧୯ରେ ଭାରତର ସବୁଠାରୁ ପାଓ୍ଵାରଫୁଲ ମହିଳା ତାଲିକାରେ ବଲିଉଡର ଏକମାତ୍ର ଅଭିନେତ୍ରୀ। ଯଦି ଅନୁଷ୍କା ଶର୍ମା ଭାରତର ସବୁଠାରୁ ପାଓ୍ଵାରଫୁଲ ମହିଳା ତେବେ ମୁଁ ଆମେରିକାର ରାଷ୍ଟ୍ରପତି।’ କମାଲ ସବୁବେଳେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥାନ୍ତି। ତାଙ୍କର ଏହି ଟ୍ଵିଟ୍‌ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

2 × five =