ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମ କରି କ୍ୟାରିୟର ଖତମ

ଅଣ୍ଡର ୱାର୍ଲ୍ଡ ଓ ବଲିଉଡ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ସବୁ ସମୟରେ ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀକୁ ନେଇ ଅନେକ ରୋଚକ କାହାଣୀ ସୃଷ୍ଟି ହୋଇଛି। ଗ୍ୟାଙ୍ଗଷ୍ଟାରଙ୍କ ପଛରେ ପୋଲିସ ପଡୁଥିବା ବେଳେ ସେମାନେ ଗ୍ଲାମର ପଛରେ ବାୟା । ବଲିଉଡରେ ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ଆରମ୍ଭ ହୁଏ ହାଜି ମସ୍ତାନ ଓ ବି-ଗ୍ରେଡ୍ ଅଭିନେତ୍ରୀ ସୋନାଙ୍କ ପ୍ରେମରୁ ।

୧୯୬୦ ପରେ ଏମିତି ଗ୍ଲାମର ଦୁନିଆ ଓ ଅଣ୍ଡରୱାର୍ଲ୍ଡରେ ରାଜତ୍ବ କରୁଥିଲେ, ମସ୍ତାନ ହାଇଦର ମିର୍ଜା ଔର ଅଫ ହାଜୀ ମସ୍ତାନ । ହାଜୀ ମସ୍ତାନ, ମଧୁବାଲାଙ୍କୁ କରୁଥିଲେ ଏକ ପାଖିଆ ପ୍ରେମ । ସମ୍ଭବ ନଥିଲା ଏ ସମ୍ପର୍କ | ସେଥିପାଇଁ ମଧୁବାଲାଙ୍କ ପରି ଅବିକଳ ଚେହେରାର ବି-ଗ୍ରେଡ ଅଭିନେତ୍ରୀ ସୋନାଙ୍କ ସହ ସମ୍ପର୍କ ରଖିଥିଲେ ହାଜୀ ମସ୍ତାନ । କୁହାଯାଉଥିଲା ହାଜି ମସ୍ତାନ ସୋନାଙ୍କୁ ବିବାହ କରିଥିଲେ । ସୋନାଙ୍କ ନାଁ ବଦଳାଇ ରଖିଥିଲେ ଶେହେଜାନ ବେଗମ । ପରେ ହାଜି ମସ୍ତାନ ଛାଡିଥିଲେ ଅଣ୍ଡରୱାର୍ଲ୍ଡ ଦୁନିଆ । ସମାଜ ସେବାରେ ହୋଇଥିଲେ ସାମିଲ । ହାଜି ମସ୍ତାନଙ୍କ ଜୀବନକୁ ନେଇ ତିଆରି ହୋଇଛି ‘ଦିୱାର’ ଓ ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ ପରି ଫିଲ୍ମ । ‘ଦିୱାର’ ରେ ହାଜି ମସ୍ତାନଙ୍କ ଭୂମିକାରେ ଅମିତାଭ ବଚ୍ଚନ ଅଭିନୟ କରିଥିବା ବଳେ ‘ୱାନସ ଅପନ ଏ ଟାଇମ ଇନ ମୁମ୍ବାଇ’ରେ ଅଭିନୟ କରିଛନ୍ତି ଅଜୟ ଦେବଗନ ।

ସେହିଭଳି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ । ଦାଉଦର ପ୍ରେମିକା ଥିଲେ ମନ୍ଦାକିନୀ । ଅଶୀ ଦଶକରେ ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ରେ ମନ୍ଦାକିନୀଙ୍କୁ ମିଳିଥିଲା ବ୍ରେକ । ଫିଲ୍ମରେ ମନ୍ଦାକିନୀଙ୍କ ବୋଲ୍ଡନେସ ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା । ‘ରାମ ତେରୀ ଗଙ୍ଗା ମୈଲୀ’ର ସଫଳତା ପରେ ମନ୍ଦାକିନୀ ସାଜିଲେ ଗ୍ୟାଙ୍ଗଷ୍ଟାର ଦାଉଦର ପ୍ରେମିକା । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ୧୯୯୩ ମୁମ୍ବାଇ ବ୍ଲାଷ୍ଟ ସବୁକିଛି ବଦଳାଇ ଦେଲା । ଏ ଧମାକା ପରେ ଦାଉଦ ସାଜିଲା ତଡିପାର ଆତଙ୍କବାଦୀ । ଏକା ହୋଇଗଲେ ମନ୍ଦାକିନୀ । 1985ରେ ଆରମ୍ଭ ହୋଇଥିବା ମନ୍ଦାକିନୀଙ୍କ ଫିଲ୍ମୀ କ୍ୟାରିୟର ୧୯୯୬ ରେ ହିଁ ଶେଷ ହୋଇଗଲା ।

ମନ୍ଦାକିନୀଙ୍କ ଅଲଗା ହେବା ପରେ ଦାଉଦର ପ୍ରେମିକା ସାଜିଲେ ପାକିସ୍ତାନ ଅଭିନେତ୍ରୀ ଅନୀତା ଆୟୁବ । ଅନୀତାଙ୍କ ପାଇଁ ଦାଉଦ ଜଣେ ଫିଲ୍ମ ନିର୍ମାତାଙ୍କୁ ହତ୍ୟା ମଧ୍ୟ କରିଥିଲା । ଅନେକ ଦିନ ଧରି ଚାଲିଥିବା ଏ ସମ୍ପର୍କ ବିବାହର ରୂପ ନେଲାନାହିଁ । ନିଜ ସେକ୍ସି ଓ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚିତ ଥିବା ଅନୀତା ଆଜି ମୁଖ୍ୟ ଧାରା ସିନେମା ଠାରୁ ଅନେକ ଦୂରରେ । ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ସମ୍ପର୍କର ଚର୍ଚ୍ଚା ଭିତରେ ଅନ୍ୟତମ ଚର୍ଚ୍ଚିତ କାହାଣୀ ଥିଲା ଆବୁ ସାଲେମ ଓ ମୋନିକା ବେଦୀଙ୍କ ପ୍ରେମ କାହାଣୀ । ୧୯୯୪ ର ଫିଲ୍ମ ମେଁ ତେରା ଆଶିକରୁ ଫିଲ୍ମ ଦୁନିଆକୁ ପ୍ରବେଶ କରିଥିଲେ। କ୍ୟାରୀୟରର ଆରମ୍ଭରେ ମୋନିକାଙ୍କୁ ମିଳିନ’ଥିଲା ସଫଳତା । ଫୋନ ଫୋନରେ ମୋନିକା ପଡିଗଲେ ଗ୍ୟଙ୍ଗଷ୍ଟାର ଆବୁ ସାଲେମର ପ୍ରେମରେ । ଆବୁ ସାଲେମ ମୋନିକାଙ୍କ ସହିତ ଅସଲମ୍ ଅଲ୍ଲୀ ନାମରେ କଥା ହେଉଥିଲା । ଧିରେ ଧିରେ ଆବୁ ସାଲେମଙ୍କ କଳା ଦୁନିଆ ବାବଦରେ ଜାଣିଲେ ମୋନିକା । ସିଦ୍ଧାନ୍ତ କଲେ ଭୁଲିଯିବେ। ସେତେବେଳକୁ କନ୍ତୁ ବିଳମ୍ବ ହୋଇଯାଇଥିଲା । 2002ରେ ଆବୁ ସାଲେମଙ୍କ ସହିତ ଆରେଷ୍ଟ ହୋଇଥିଲେ ମୋନିକା । ଆଜିକାଲି ଜେଲର ଅଂଧାରୀ ସେଲ ଭିତରେ ଆବୁ ସାଲେମ ଆଉ ଜୀବନର କଳା ସମୟ ଭୁଲି ମୋନିକା ବଞ୍ଚୁଛନ୍ତି ନୂଆ ଜୀବନ ।

ଗ୍ୟାଙ୍ଗଷ୍ଟାର ଭିକି ଗୋସ୍ବାମୀ ଓ ମମତା କୁଲକର୍ଣ୍ଣିଙ୍କ ପ୍ରେମ ବି ବେଶ ଚର୍ଚ୍ଚିତ । ବଲିଉଡର ସେକ୍ସି ସାଇରନ୍ ଭାବେ ଚର୍ଚ୍ଚିତ ମମତା କୁଲକର୍ଣ୍ଣି । ଖାସ କରି ଷ୍ଟାରଡଷ୍ଟ ମ୍ୟାଗଜିନରେ ମମତା କୁଲକର୍ଣ୍ଣିଙ୍କ କଭରପେଜ ଫଟୋ ସୃଷ୍ଟି କରିଥିଲା ଚର୍ଚ୍ଚା। ନବେ ଦଶକରେ ଅଣ୍ଡରୱାର୍ଲ୍ଡ ସହିତ ମମତା କୁଲକର୍ଣ୍ଣିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । କୁହାଯାଉ ଥିଲ ମମତା ଗ୍ୟାଙ୍ଗଷ୍ଟାର ଛୋଟା ରାଜନର ପ୍ରେମିକା । ଛୋଟା ରାଜନ ପାଇଁ ମମତା କୁଲକର୍ଣ୍ଣିଙ୍କୁ ଫିଲ୍ମ ଘାୟଲ ଓ ଚାଇନା ଗେଟରେ ବ୍ରେକ ଦିଆଯାଇଥିଲା । ପ୍ରେମ କାହାଣୀ କିନ୍ତୁ ଆଗକୁ ବଢିନ’ଥିଲା । ଛୋଟା ରାଜନ ଦେଶ ଛାଡିବା ପରେ ତା’ ମୁମ୍ବାଇ କାରବାର ସମ୍ଭାଳୁ ଥିଲା ଭିକି ଗୋସ୍ବାମୀ । ଫିଲ୍ମଠୁ ଅଲଗା ହେବା ପରେ ମମତା କୁଲକର୍ଣ୍ଣି କିଛି ଦିନ ପ୍ରାଇଭେଟ ପାର୍ଟିରେ ଡ୍ୟାନ୍ସ କରୁଥିଲେ । ଏହାରି ଭିତରେ ସେ ଆସି ସାରିଥିଲେ ଭିକି ଗୋସ୍ବାମୀର ସମ୍ପର୍କରେ ଓ ସାଜି ଥିଲେ ଗ୍ୟଙ୍ଗଷ୍ଟାର ଭିକିର ପ୍ରେମିକା । ଚର୍ଚ୍ଚା ହେଉଥିଲା ମମତା ଧର୍ମ ବଦଳାଇ ଭିକିକୁ ବିବାହ କରିଛନ୍ତି ଓ କେନିଆରେ ରହୁଛନ୍ତି । ଡ୍ରଗସ୍ କାରବାର ମାମଲାରେ ଭିକିଙ୍କ ସହିତ ଗିରଫ ହୋଇଛନ୍ତି ମମତା କୁଲକର୍ଣ୍ଣି । ଭିକିଙ୍କୁ ସଜା ହୋଇଛି । କୋର୍ଟରୁ ନିର୍ଦ୍ଦୋଶରେ ମୁକୁଳିବା ପରେ ମମତା କରିଛନ୍ତି ଭିକିଙ୍କୁ ସମର୍ଥନ । କହିଛନ୍ତି, ଭିକି ନିର୍ଦ୍ଦୋଶ ।

ଓଡିଆ ଫିଲ୍ମ ଜଗତରେ ବି’ ଉଠିଛି, ଗ୍ୟାଙ୍ଗଷ୍ଟାର ଓ ଅଭିନେତ୍ରୀଙ୍କ ସମ୍ପର୍କର ରହିଛି ନଜିର । ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓ ଲେସଲୀ ତ୍ରିପାଠୀଙ୍କ ପ୍ରେମର ଚର୍ଚ୍ଚା । ମ୍ୟୁଜିକ ଭିଡିଓର ଅଭିନେତ୍ରୀ, ଲେସଲୀ ତ୍ରିପାଠୀ ୨୦୦୮ ଫ୍ରେବୃଆରୀ ୧୮ ରେ ରାଜା ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସରେ ଆଣିଥିଲେ ଅଭିଯୋଗ । କାରଣ ଥିଲା, ରାଜା ତାଙ୍କୁ ବିବାହ ପାଇଁ ବାରମ୍ବାର ଫୋନ କରୁଥିଲା ଓ ଅପହରଣ ପାଇଁ ଦେଉଥିଲା ଧମକ । କିନ୍ତୁ ଏ ମାମଲାରେ ରାଜାର ବୟାନ ଥିଲା, ଠିକ ଓଲଟା । ରାଜା ଓ ଲେସଲୀର ଏକ ତରଫା ପ୍ରେମ କାହାଣୀ ଭିତରେ ଲେସଲୀଙ୍କ ଅନ୍ତରଙ୍ଗ ସାଙ୍ଗ ଅଭିନେତ୍ରୀ ବିଦୁସ୍ମିତାଙ୍କୁ ମିଳିଥିଲା ରାଜାର ଧମକ । ବିଦୁସ୍ମିତାଙ୍କ ଭାଇ କୁହାଯାଉଥିବା ଅରୁଣ ମନ୍ତ୍ରୀଙ୍କୁ କରାଯାଇଥିଲା ଅପହରଣ । ୨୦୦୮ ଏପ୍ରିଲ ୧୩ । ରାଜା ଓ ଲେସଲୀଙ୍କ ବିବାଦରେ ମଧ୍ୟସ୍ତତା କରିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ବୁଦ୍ଧିଆ ସିଂହର ଗୁରୁ, ଜୁଡୋ କୋଚ୍ ବିରଞ୍ଚି ଦାସ । ଏକ ତରଫା ଏ ପ୍ରେମ କାହାଣୀ ପାଇଁ ରାଜା ଜେଲରେ ଥିଲେ । ଲେସଲୀ ତ୍ରିପାଠୀ ଛାଡିଛନ୍ତି ଆଲବମ ଜଗତ ।

Share

Leave a Reply

Your email address will not be published. Required fields are marked *

two + three =