ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ବର () ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାରେ ଭିତ୍ତିଭୂମି, ଆର୍ଥିକ ବ୍ୟବସ୍ଥା ଓ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କର ଜୀବନଜୀବିକା ଯଥାଶୀଘ୍ର ସ୍ବାଭାବିକ କରିବା ପାଇଁ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଏ ଦିଗରେ ସେମାନଙ୍କର ସହଯୋଗ ଓ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ସେ ବେହେରା କହିଲେ ଯେ, ଓଡ଼ିଶାରେ ସ୍ଥାୟୀ ବ୍ୟାଙ୍କ ଶାଖା ଅଭାବରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେଉଛି । ମାର୍ଚ୍ଚ ୨୦୧୭ ସୁଦ୍ଧା ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ବିଗତ ୪ ବର୍ଷରେ ରାଜ୍ୟରେ ୨୪୧ଟି ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲା ଯାଇଥିବା ବେଳେ ୨୦୧୭-୧୮ ବର୍ଷରେ ମାତ୍ର ୨୦ଟି ଶାଖା ଖୋଲାଯାଇଛି ।

କେନ୍ଦ୍ର ସରକାରଙ୍କ ଫାଇନାନ୍‌ସିଆଲ ସର୍ଭିସେସ୍‌ ବିଭାଗ ପକ୍ଷରୁ ଦିଆଯାଇଥିବା ତାଲିକା ଅନୁଯାୟୀ ଓଡ଼ିଶାରେ ୨୧୯୭ଟି ଗ୍ରାମରେ କୌଣସି ପ୍ରକାର ବ୍ୟାଙ୍କିଙ୍ଗ ଆଉଟଲେଟ ନଥିବା ଗ୍ରାମ ମଧ୍ୟରୁ ୧୫.୧୦.୨୦୧୮ ସୁଦ୍ଧା ୧୪୭୨ଟି ଗ୍ରାମରେ ବ୍ୟାଙ୍କିଙ୍କ କରେସ୍ପଣ୍ଡେଣ୍ଟ ନିୟୋଜିତ କରାଯାଇଛି । ଏଥିମଧ୍ୟରୁ ୫୨୬ଟି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୫୭୭ଟି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ପକ୍ଷରୁ ୧୧୦ଟି ବ୍ୟାଙ୍କିଙ୍କ କରେସ୍ପଣ୍ଡେଣ୍ଟ ନିୟୋଜିତ କରାଯାଇଛି । ୨୦୧୮ ଡିସେମ୍ବର ୩୧ ତାରିଖ ସୁଦ୍ଧା ବାକିଥିବା ୭୨୫ଟି ଗ୍ରାମରେ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ର ସୁବିଧା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ ।

ରାଜ୍ୟରେ ପର୍ଯ୍ୟାପ୍ତ ଋଣ ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ପ୍ରତି ବ୍ୟାଙ୍କ ଶାଖାରେ ଅନୁ୍ୟନ ୨ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଅଧିକାରୀ କେବଳ ଋଣ ଯୋଗାଣ ପାଇଁ ନିୟୋଜିତ କରିବା ଦିଗରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ କୋଲକାତାଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମାଓବାଦୀ ପ୍ରଭାବିତ ୧୫ଟି ଜିଲ୍ଲାରେ ଅଧିକରୁ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବା ନିମନ୍ତେ ଓଡ଼ିଶା ପକ୍ଷରୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତ ଗୃହ କିମ୍ବା ଜାଗା, ଭିସାଟ ଯୋଗାଯୋଗ ଏବଂ ବିଦ୍ୟୁତ ଆଦି ସମସ୍ତ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌. ବାଲକ୍ରିଷ୍ଣନ୍‌ କହିଲେ ଯେ, ରାଜ୍ୟର ଉନ୍ନତିରେ ମହିଳାମାନଙ୍କର ଭାଗୀଦାରିକୁ ବ୍ୟାପକ କରିବା ପାଇଁ ମହିଳା ସ୍ବୟଂ ସେବକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କମାନେ ସୁବିଧାରେ ବିଭିନ୍ନ ଋଣ ଯୋଗାଇଦେବା ଆବଶ୍ୟକ । ଏହା ଦ୍ବାରା ମହିଳାମାନେ ସ୍ବାବଲମ୍ବି ହେବା ସହିତ ରାଜ୍ୟର ଆର୍ଥିକ ପ୍ରଗତି ହାସଲ ହୋଇ ପାରିବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନକାନ୍ତ ପାଣ୍ଡେ କହିଲେ ଯେ, ରାଜ୍ୟରେ ମତ୍ସ୍ୟ, ଖଦି ଓ ଗ୍ରାମୋଦ୍ୟୋଗ ଏବଂ ଶିକ୍ଷା କ୍ଷେତ୍ରରେ ଋଣ ଦେୟର ପରିମାଣ ଅତ୍ୟନ୍ତ କମ୍‌ ରହିଛି । ମୋଟ ଋଣ ପ୍ରଦାନ ତୁଳନାରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଆନୁପାତିକ ଋଣ ପ୍ରଦାନ ମଧ୍ୟ ହ୍ରାସ ପାଇଛି । ଆଗାମୀ ଦିନରେ ଏହିସବୁ କ୍ଷେତ୍ର ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବାର୍ଷିକ କ୍ରେଡିଟ୍‌ ପ୍ଲାନର ଲକ୍ଷ୍ୟ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହି ଋଣ ଏ ଦିଗରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ । କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଋଣ ସମେତ ମୁଦ୍ରା ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ବ୍ୟାଙ୍କଗୁଡ଼ିକ ଅଧିକ ତତ୍ପରତା ପ୍ରକାଶ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 3 =