ଆରଇସି ଲିମିଟେଡ଼ ଦ୍ୱାରା ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ସହଯୋଗୀମାନଙ୍କ ସମ୍ମିଳନୀ ଆୟୋଜିତ
ଆରଇସି ଲିମିଟେଡର ଆଞ୍ଚଳିକ କାର୍ଯ୍ୟଳୟ ଦ୍ୱାରା ଆଜି (ତା. 24.01.2025 ରିଖ) ଦିନ ସମ୍ବଲପୁର ସ୍ଥିତ ହୋଟେଲ ଗ୍ରାଣ୍ଡ ଶିବାଠାରେ ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ସହଯୋଗୀମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ସିଇଓ ଓରିଡ଼ା (OREDA) ଏବଂ ଏସ୍.ଏଲ୍.ବି.ସି. ବ୍ୟାଙ୍କର ଅଂଶୀଦାରମାନେ ଯୋଗ ଦେଇଥିଲେ ।
ଏହି ବୈଠକରେ ଆରଇସି ଲିମିଟେଡ ଦ୍ୱାରା ରୁଫ୍ ଟପ୍ ସୋଲାର୍ ସ୍ଥାପନ କରିବା ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା ଏବଂ ଟିପିଡବ୍ଲୁଓଡିଏଲର ବିତରଣ ଅଞ୍ଚଳରେ ରୁଫ୍ ଟପ୍ ସୋଲାର୍ ସ୍ଥାପନର ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମାବେଶକୁ ସିପିଏମ୍, ଆରଇସି ଭୁବନେଶ୍ୱର, ସିଇଓ, ଟିପିଡବ୍ଲୁଓଡିଏଲ୍ ସମ୍ବୋଧିତ କରିଥିଲେ । ଏହି ଯୋଜନାର ସଫଳ ରୂପାୟନ ସହିତ ଜଡିତ ସମସ୍ତ ହିତାଧିକାରୀ ଉପସ୍ଥିତ ଥିବାରୁ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସେହିପରି ବିକ୍ରେତାମାନଙ୍କର ସମସ୍ୟା ଏବଂ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ନବୀକରଣ ଯୋଗ୍ୟ ବିଦ୍ୟୁତ୍ ଶକ୍ତିକୁ ଜନସାଧାରଣଙ୍କ ଲାଗି ସୁଲଭ କରିବା ତଥା ରୁଫ୍ ଟପ୍ ସୋଲାରର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ହେଉଛି ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ସରକାରୀ ପୋର୍ଟାଲ ମାଧ୍ୟମରେ ଏକ ସହଜ ଆବେଦନ ପ୍ରକ୍ରିୟା ସହିତ, ଏହି ଯୋଜନା ଗ୍ରହଣକୁ ସରଳ କରିବା ଏବଂ ରାଜ୍ୟ ତଥା ଦେଶରେ ରୁଫ୍ ଟପ୍ ସୋଲାରର ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ପରିକଳ୍ପନା କରାଯାଇଛି ।
ଏହି ଯୋଜନାର ପ୍ରମୁଖ ଲାଭ ଗୁଡ଼ିକ ମଧ୍ୟରେ ରହିଛି 3 କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ 78,000 ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସବସିଡି । ସେହିପରି ସମାନ କିଲୋୱାଟର ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ଅତିରିକ୍ତ 60,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଅତିଶୀଘ୍ର ରାଜ୍ୟ ସରକାର ଘୋଷଣା କରିବାକୁ ଯାଉଛନ୍ତି । ଅଧିକାଂଶ କ୍ଷେତ୍ରରେ କେନ୍ଦ୍ରୀୟ ସବସିଡି 7-15 ଦିନ ମଧ୍ୟରେ ଜାରି କରାଯାଉଅଛି । ପବ୍ଲିକ୍ ସେକ୍ଟର ବ୍ୟାଙ୍କମାନଙ୍କରୁ ମଧ୍ୟ ସୁଲଭ ମୂଲ୍ୟରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ 7% ସୁଧ ହାରରେ ଉପଲବ୍ଧ ରହିଛି ।
ବର୍ତ୍ତମାନ, ଓଡ଼ିଶାରେ 1,893 ରୁଫ୍ ଟପ୍ ସୋଲାର୍ ସ୍ଥାପନ ହୋଇସାରିଛି, ଯାହା ରାଜ୍ୟର ସବୁଜ ଶକ୍ତି ପରିବର୍ତ୍ତନରେ ଏକ ବଡ଼ ଯୋଗଦାନ । ଏଥି ସହିତ 2027 ସୁଦ୍ଧା ରାଜ୍ୟରେ ପ୍ରାୟ 3 ଲକ୍ଷ ସୌର ପ୍ୟାନେଲ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦକ୍ଷେପ 2030 ସୁଦ୍ଧା 500 ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାର ଦେଶର ଲକ୍ଷ୍ୟକୁ ସମର୍ଥନ କରିବ । ଏହି ଯୋଜନା ବିଶ୍ୱ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା, ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ସାରା ଦେଶରେ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ପରିବେଶ ସ୍ଥିରତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ ।