ଦେଶର ସବୁଠୁ ଫେଭରାଇଟ ରାଜ୍ୟ ଓଡିଶା

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶା ଦେଶର ପଂଜି ନିବେଶ ପାଇଁ ପ୍ରଥମ ଚଏସ । ଦେଶକୁ ଯେତିକି ପଂଜି ନିବେଶ ଆସିଛି ସେ ମଧ୍ୟରୁ ଆର୍ଥକ ବର୍ଷର ପ୍ରଥମ ଛଅ ମାସ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାକୁ ସବୁଠାରୁ ଅଧିକ ପଂଜି ନିବେଶ ଆସିଛି । ଓଡିଶାକୁ ଏହି ସମୟ ମଧ୍ୟରେ ୧୮ ପ୍ରତିଶତ ପୁଂଜି ନିବେଶ ଆସିଥିବା ବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ୧୬ ପ୍ରତିଶତ ପୁଂଜି ନିବେଶକାରୀଙ୍କୁ ଆକୃଷ୍ଟ କରିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ ହୋଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି ।

୨୦୧୮-୧୯ ଆର୍ଥିକ ବର୍ଷରେ ମହାରାଷ୍ଟ୍ରକୁ ସର୍ବାଧିକ ୨୧ ପ୍ରତିଶତ ପୁଂଜି ନିବେଶ ଆସିଥିବା ବେଳେ ଚଳିତ ଆର୍ଥିକ ବର୍ଷ ପୁଂଜି ନିବେଶକାରୀଙ୍କ ସଂଖ୍ୟା ୧୬ ପ୍ରତିଶତକୁ ହ୍ରାସ ପାଇଛି । ସେପଟେ ଓଡିଶାକୁ ଗତ ଆର୍ଥିକ ବର୍ଷରେ ମାତ୍ର ୪ ପ୍ରତିଶତ ପୁଂଜି ନିବେଶ ଆସିଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୧୮ ପ୍ରତିଶତକୁ ଲମ୍ଫ ଦେଇଛି । ଓଡିଶା ପରେ ଚଳିତ ଆର୍ଥକ ବର୍ଷରେ ଗୁଜୁରାଟରେ ମଧ୍ୟ ପୁଂଜି ନିବେଶର ଆଗ୍ରହ ବୃଦ୍ଧି ପାଇଛି । ଗୁଜୁରାଟକୁ ଗତ ଆର୍ଥିକ ବର୍ଷ ୨ ପ୍ରତିଶତ ପୁଂଜି ନିବେଶକାରୀ ଆସିଥିବା ବେଳ ଚଳିତ ବର୍ଷ ୯ ପ୍ରତିଶତ ପୁଂଜି ନିବେଶକାରୀ ପୁଂଜି ଘଟେଇବାକୁ ଆଗ୍ରହ ଦେଖାଇଛନ୍ତି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ଯେଉଁ ରାଜ୍ୟଗୁଡିକ ପ୍ରତି ପୁଂଜି ନିବେଶକାରୀଙ୍କ ଆଗ୍ରହ କମିଛି ସେଗୁଡିକ ହେଲା ତେଲେଙ୍ଗାନା, ବିହାର, ମଧ୍ୟ ପ୍ରଦେଶ, ତାମିଲନାଡୁ, ପଂଜାବ, ହରିଆନା ଓ ମହାରାଷ୍ଟ୍ର । ସେପଟେ ଯେଉଁ ୭ଟି ରାଜ୍ୟକୁ ପୁଂଜି ନିବେଶ ବୃଦ୍ଧି ପାଇଛି ସେଗୁଡିକ ହେଲା ଓଡିଶା, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଆଣ୍ଡାମାନ ଓ ନିକୋବର ।

ତେବେ ଦେଶରେ ସାମଗ୍ରିକ ଭାବେ ପୁଂଜି ନିବେଶର ଆଗ୍ରହ ହ୍ରାସ ପାଉଛି । ଗତ ଆର୍ଥିକ ବର୍ଷରେ ଗତ ପଂଚ ବର୍ଷ ମଧ୍ୟରେ ସବୁଠାରୁ କମ ପୁଂଜି ନିବେଶ ହୋଇଥିଲା । ଚଳିତ ଆର୍ଥକ ବର୍ଷରେ ପୁଂଜି ନିବେଶ ଆହୁରି ହ୍ରାସ ପାଇଁ ଗତ ୧୫ ବର୍ଷ ମଧ୍ୟରେ ସର୍ବନିମ୍ନ ହୋଇଛି । ଘରୋଇ କ୍ଷେତ୍ରରେ ପୁଂଜିନିବେଶ ବୃଦ୍ଧି ପାଉଥିବା ବେଳେ ସରକାରୀ କ୍ଷେତ୍ରରେ ପୁଂଜି ନିବେଶ ପ୍ରତି ବିଶେଷ ଆଗ୍ରହ ନାହିଁ । ଉତ୍ପାଦନ ଭିତ୍ତିକ ଶିଳ୍ପରେ ଅଧିକ ପୁଂଜି ନିବେଶ ହେଉଥିଲା ବେଳେ ସେବା ଓ ବିଦ୍ୟୁତ କ୍ଷେତ୍ରରେ ପୁଂଜି ନିବେଶ କମୁଛି । ଗତ ଆର୍ଥିକ ବର୍ଷରେ ଦେଶରେ ମୋଟ ୧୧.୯ ଟ୍ରିଲିଅନ ହୋଇଥିଲା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ୧.୯ ଟ୍ରିଲିୟନ ପୁଂଜି ନିବେଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

seventeen + 17 =