ଦେଶ ପାଳୁଛି ମୋଦୀଙ୍କ ଜନ୍ମଦିନ, ସେପଟେ ସେନସେକ୍ସ ସୂଚକାଙ୍କରେ ୭୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ () ଗୋଟେପଟେ ସାରା ଦେଶ ଓ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଧୁମଧାମରେ ପାଳନରେ ବ୍ୟସ୍ତ । ଅନ୍ୟପଟେ ଅର୍ଥନୀତିକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ସଙ୍କେତ ମିଳିଛି। ସୋମବାର ବିଶ୍ଵ ବଜାରରେ କଞ୍ଚା ପେଟ୍ରୋଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ବର୍ତ୍ତମାନ ସ୍ଥିତିରେ ଆଉ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରିବାର ଆଶା କ୍ଷୀଣ। ଗତକାଲି ଓ ଆଜି ସେନସେକ୍ସ ୭୦୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ପ୍ରକାର ନିରାଶାର ସଙ୍କେତ ଦେଉଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି ଆସି ୭୧.୯୭ ରେ ପହଞ୍ଚିଛି।

ଆଜି ପେଟ୍ରୋଲର ମୂଲ୍ୟରେ ୨୦% ବୃଦ୍ଧି ଘଟିଛି। ଏହା ଗତ ୩୦ ବର୍ଷ ଭିତରେ ଏହା ସବୁଠୁ ବଡ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଏହାର ପ୍ରଭାବରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ୫ ରୁ ୬ ଟଙ୍କା ବଢିପାରେ। ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସରକାର ମୂଲ୍ୟ ବୃଦ୍ଧି ଯଦି ନ କରନ୍ତି ଏହା ଅର୍ଥନୀତିକୁ ଭୟଙ୍କର ସ୍ଥିତିକୁ ନେଇଯିବ।

ହିରୋ ମୋଟର, ଟାଟା ମୋଟର, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ, ମାରୁତି ସୁଜୁକି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବଜାଜ ଅଟୋ ଭଳି କମ୍ପାନୀର ଶେୟାର ମୂଲ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ଭାବେ ଖସିଛି। ଗତ ତ୍ରୈମାସିକିରେ ଜିଡିପି ୫% କୁ ଖସି ଆସିଥିବାରୁ ଏହାକୁ ଆସନ୍ତା ତ୍ରୈମାସିକିରେ ବଢାଇବା ଲାଗି ଭାରତ ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ। ହେଲେ ଯାହା ସଙ୍କେତ ମିଳୁଛି, ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମର ଦର ବୃଦ୍ଧି ଭାରତର ଜିଡିପି ଅଭିବୃଦ୍ଧିକୁ ବ୍ୟାହତ କରିବ। ଏହି ଆଶଙ୍କାରେ ବଜାରରେ ନିରାଶା ଦେଖା ଦେଇଛି। ବିତ୍ତିୟ ନିୟଣ୍ଟ ଓ କରେଣ୍ଟ ଏକାଉଣ୍ଟ ନିୟଣ୍ଟିଆ ସ୍ଥିତି ଉପରେ ଏହାର ପ୍ରଭାବ ପଡିବ ବୋଲି ଗତକାଲି ନିଜେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ଏକ ସୂଚନା ଅନୁଯାୟୀ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଗତ ତିନି ମାସ ଭିତରେ ପାଖାପାଖି ୪.୫ ବିଲିଅନ ଡଲାରର ବିଦେଶୀ ପୁଞ୍ଜିନିବେଶ ଭାରତୀୟ ବଜାରରୁ ପ୍ରତ୍ୟାହୃତ ହୋଇଛି।

Share

Leave a Reply

Your email address will not be published. Required fields are marked *

15 − fourteen =