Business

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ୫ ମହିଳା ଶାଖା ଜରିଆରେ ମହିଳାଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଏହାର “ମହିଳାଙ୍କ ଦ୍ୱାରା, ମହିଳାଙ୍କ ପାଇଁ” ଲକ୍ଷ୍ୟ ଅନୁସାରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ୫ଟି ମହିଳା ଶାଖାର ଶୁଭାରମ୍ଭ କରାଯାଇଛି। ଏହି ଶାଖାଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳତ ହେବ। ଏହି ଶାଖାଗୁଡ଼ିକୁ ମହିଳା କର୍ମଚାରୀ, ମହିଳା ଗ୍ରାହକ ଏବଂ ସର୍ବୋପରି ସମସ୍ତ ପ୍ରକାର ଗ୍ରାହକଙ୍କ ପାଇଁ ସହାୟକ ହେବ। ବ୍ୟାଙ୍କ୍ ପକ୍ଷରୁ ଓଡ଼ିଶାରେ ୩ଟି ଓ ଝାଡ଼ଖଣ୍ଡରେ ଦୁଇଟି ମହିଳା ଶାଖା ଖୋଲାଯାଇଛି। ଏହି ପାଂଚଟି ଶାଖା ମଧ୍ୟରୁ ୩ଟି ସହରାଚଂଳ ଓ ଦୁଇଟି ହେଉଛି ଗ୍ରାମୀଣ ଶାଖା।
ଏହି ଅଭିଯାନ ମହିଳାମାନଙ୍କ ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରି ସେମାନଙ୍କୁ ସଶକ୍ତ କରିବା ଓ ଲିଙ୍ଗଗତ ସମାନତାର ପ୍ରସାର କରିବା ଲାଗି ବ୍ୟାଙ୍କ୍‌ର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ। ଶାଖାର ସମ୍ପୂର୍ଣ୍ଣ ପରିଚାଳନା କରିବାର ନେତୃତ୍ୱ ମହିଳାମାନଙ୍କୁ ପ୍ରଦାନ କରି ବ୍ୟାଙ୍କ୍ ସେମାନଙ୍କୁ ବୃତ୍ତିରେ ଆଗକୁ ବଢ଼ିବା ଏବଂ ବ୍ୟାଙ୍କ୍‌ରେ ଉଚ୍ଚ ନେତୃତ୍ୱ ପଦ ଲାଗି ଅଭିଳାଷୀ ହେବା ପାଇଁ ସଶକ୍ତ କରିବ।
ଏହି ପାଂଚଟି ମହିଳା ଶାଖା ସମସ୍ତ ପ୍ରକାର ଗ୍ରାହକଙ୍କୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ରହିଥିବା ବେଳେ ମହିଳା ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଓ ସେମାନଙ୍କ ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ପୂରଣ କରିବ। ବିଓବି ମହିଳା ଶକ୍ତି ସଂଚୟ ଖାତା, ବିଓବି ମହିଳା ପାୱାର କରେଂଟ ଆକାଉଂଟ୍‌, ବରୋଦା ମହିଳା ସ୍ୱାବଲମ୍ବନ ଲୋନ ସ୍କିମ୍ ଓ ବିଓବି ଏସ୍‌ବି ସେଲ୍‌ଫ ହେଲ୍‌ପ ଗ୍ରୁପ୍ ଏବଂ ବିଭିନ୍ନ ପ୍ରକାର ସଂଚୟ ଓ ଋଣ ସ୍କିମ୍ ଜରିଆରେ ମହିଳା ଗ୍ରାହକମାନଙ୍କୁ ସଶକ୍ତ କରିବା ଉପରେ ବ୍ୟାଙ୍କ୍ ଗୁରୁତ୍ୱାରୋପ କରୁଛି।
ବ୍ୟାଙ୍କ୍ ପକ୍ଷରୁ ଉଦ୍ୟମିତା ଓ ସାମାଜିକ ସୁରକ୍ଷାକୁ ସମର୍ଥନ କରିବା ପାଇଁ ବିଭିନ୍ନ ସରକାରୀ ସ୍କିମ୍‌ର ପ୍ରଚାର କରାଯିବ। ଏହି ପାଂଚଟି ମହିଳା ଶାଖା ମଧ୍ୟ ନିୟମିତ ବ୍ୟବଧାନରେ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତ୍ୟକ୍ଷ ଭାବେ ଆର୍ଥିକ ସାକ୍ଷରତା ଓ ସଚେତନତାର ପ୍ରସାର କରିବେ ଯାହାଦ୍ୱାରା ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି ପାଇବ।
ଏହି ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୀଣା ୱାହିଦ୍ କହିଛନ୍ତ ଯେ, “ଓଡ଼ିଶା ଓ ଝାଡ଼ଖଣ୍ଡରେ ୫ଟି ମହିଳା ଶାଖା ଖୋଲିବା ସହିତ ଆମେ ଏଭଳି ଏକ ପରିବେଶ, ସଂସ୍କୃତି ଓ ବ୍ୟବସ୍ଥା ଗଠନ କରିବା ଦିଗରେ କାର୍ଯ୍ୟ କରୁୁଛୁ, ଯେଉଁଠାରେ ମହିଳାମାନେ ସଫଳତା ପାଇପାରିବେ। ଆମର ସମସ୍ତ ମହିଳା ଶାଖା ଉଭୟ କର୍ମଚାରୀ ଓ ଗ୍ରାହକଙ୍କ ସମେତ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ବ୍ୟାଙ୍କ ଅଫ୍ ବରୋଦାର ଗଭୀର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଶାଖାଗୁଡ଼ିକ ଦ୍ୱାରା ଆମେ ମହିଳା କର୍ମଚାରୀମାନଙ୍କୁ ନବସୃଜନ ଓ ଉତ୍କର୍ଷ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଥିବା ବେଳେ ମହିଳାମାନଙ୍କ ପାଖରେ ଆର୍ଥିକ ସେବା ପହଂଚାଇବା ଓ ସମ୍ପ୍ରସାରଣ କରିବାକୁ ପ୍ରାଥମିକତା ଦେଉଛି। ସମସ୍ତଙ୍କୁ ଅଧିକ ଅନ୍ତର୍ଭୁକ୍ତ ଓ ସମାନତାର ସହ ଭବିଷ୍ୟତ ଗଠନ ଲାଗି ରହିଥିବା ସମ୍ଭାବନାକୁ ନେଇ ମୁଁ ବେଶ୍ ଉତ୍ସାହିତ ରହିଛି।”
ନୂତନ ମହିଳା ଶାଖାଗୁଡ଼ିକ ନିଳାଦ୍ରୀ ବିହାର (ଭୁବନେଶ୍ୱର), ଖୁଂଟା (କଟକ), ଇରବା (ରାଂଚି), ଧନୁପାଲି (ସମ୍ବଲପୁର) ଓ ଜାମସେଦପୁର ମହିଳା ମହାବିଦ୍ୟାଳୟ (ଜାମସେଦପୁର)ରେ ଖୋଲାଯାଇଛି।

Share

Leave a Reply

Your email address will not be published. Required fields are marked *

one × five =